ଓ୍ବାଶିଂଟନ,୧୪।୨ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୂଳ ଭାରତୀୟ ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ତାଙ୍କ ଦ୍ୱାରା ରିଲିଜ ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ମୁଁ ନିକ୍କି ହାଲେ ଏବଂ ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜକୁ ଘୋଷଣା କରୁଛି।
ଖବର ଅନୁଯାୟୀ, ସେ ବୁଧବାର ଦକ୍ଷିଣ କାରୋଲିନାର ଚାର୍ଲଷ୍ଟୋନରେ ଏକ ଅଭିଭାଷଣରେ ନିଜର ଅଭିଯାନ ଯୋଜନା ଉପସ୍ଥାପନ କରିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ତାଙ୍କୁ ଦଳ ମଧ୍ୟରେ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ବିବେଚନା କରାଯାଉଛି।
ମୂଳ ଭାରତୀୟ-ଆମେରିକୀୟ ନେତା ୫୧ ବର୍ଷ ବୟସ୍କା ନିକ୍କି ଦୁଇଥର ଦକ୍ଷିଣ କାରୋଲିନା ରାଜ୍ୟପାଳ ରହିଛନ୍ତି। ଏହା ବ୍ୟତୀତ ସେ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ରହିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଛିଡା ହୋଇଥିବା ରିପବ୍ଲିକାନ ପାର୍ଟିର ନିକ୍କି ହେଉଛନ୍ତି ପ୍ରଥମ ପ୍ରତିଯୋଗୀ। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରମ୍ପ ଏକମାତ୍ର ପ୍ରାର୍ଥୀ ଯିଏକି ତାଙ୍କ ଦଳ ପକ୍ଷରୁ ନିର୍ବାଚନରେ ଲଢ଼ିବାକୁ ଦାବି କରିଥିଲେ।
ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ନିକ୍କି ପୂର୍ବରୁ ସୂଚିତ କରିସାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ରାଜ୍ୟପାଳ ଏବଂ ରାଷ୍ଟ୍ରଦୂତ ଭାବରେ ବହୁତ ଭଲ କାମ କରିଛନ୍ତି। ରାଜ୍ୟପାଳ ଭାବେ ମୁଁ ବେରୋଜଗାରୀ ସହିତ ଲଢୁଥିବା ଏକ ରାଜ୍ୟର ଆହ୍ବାନକୁ ଗ୍ରହଣ କରି ଏହାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରିଛି। ରାଷ୍ଟ୍ରଦୂତ ଭାବରେ, ମୁଁ ଆମେରିକାର ସମ୍ମାନକୁ ଦୁନିଆ ଆଗରେ ଶୀର୍ଷକୁ ନେଇଛି। ମୁଁ ଭାବୁଛି ମିଳିତ ଜାତିସଂଘରେ ଯାହା କରିବାକୁ ସକ୍ଷମ ତାହା ମୁଁ ଦର୍ଶାଇଛି।