ନିକୁଞ୍ଜ ଧଳଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩୦।୬(ଅସମାପିକା ସାହୁ): ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିକୁଞ୍ଜ ବିହାରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ନିକୁଞ୍ଜ ଧଳ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହିତ ସ୍ବତନ୍ତ୍ର ରିଲିଫ କମିସନର ମଧ୍ୟ ଥିଲେ। ଏଥିସହିତ ସେ ଅବକାରୀ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗ୍ରୀଡ୍‌କୋ ଚେୟାରମ୍ୟାନ, ଓଏସ୍‌ବିସି ଚେୟାରମ୍ୟାନ ପଦବୀରେ ରହି କାର୍ଯ୍ୟ କରିଛନ୍ତି। ତେବେ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସମୟରେ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ନିଜ ବାପାଙ୍କ ଦେହାନ୍ତର ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗଦେଇଥିଲେ। ଯାହାକୁ ନେଇ ସେ ବହୁ ସ୍ଥାନରୁ ପ୍ରଶଂସା ପାଇଥିଲେ।

Share