ଆଜି ବାହାରିବ ନୀଳାଚଳ ଅବଢା: ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ

ପୁରୀ,୨୦।୭: ନିଳାଦ୍ରୀ ବିଜେ ପରେ ଘୋଷଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କର ଲୀଳାଖେଳା ଆରମ୍ଭ ହୋଇଯାଇଛି । ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି । ଗୋପାଳବଲ୍ଲଭ ଭୋଗ ପରେ ନୀଳାଚଳ ଅବଢା ବାହାରିବ । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ । ଶୁକ୍ରବାର ରାତିରେ ଗୋଟି ପହଣ୍ଡିରେ ରଥରୁ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଦାମୂରତି । ପ୍ରଥମେ ସୁଦର୍ଶନ ପରେ ବଡ଼ ଠାକୁର ବଳଭଦ୍ର ଓ ତାପରେ ଭଉଣୀ ସୁଭଦ୍ରା ରତ୍ନବେଦୀକୁ ବିଜେ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଭକ୍ତଙ୍କ ଗହଣରେ ହଲିଝୁଲି ଶ୍ରମନ୍ଦୀର ଅଭିମୁଖେ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ମା’ ଲକ୍ଷ୍ମୀ ସିଂହଦ୍ୱାର ବନ୍ଦ କରିଥିଲେ । ଅନେକ ବଚନିକା ପରେ ମା’ଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ ଜଗନ୍ନାଥ । ନିଳାଦ୍ରୀ ବିଜେରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଗଣ । ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା