୨୭-୨୮ ଫିଲ୍ମକୁ ନା କରିଛନ୍ତି ଏହି ଅଭିନେତ୍ରୀ; ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କ ନେଇ…

ବମ୍ବେ: ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନିମ୍‌ରତ କୌର। ୧୯୮୨ ମାର୍ଚ୍ଚ ୧୩ରେ ରାଜସ୍ଥାନର ପିଲାନୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ବାପା ସେନାରେ ଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଶହୀଦ ହୋଇଯାଇଥିଲେ। ପରେ ନିମ୍‌ରତ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ ଅଫ୍‌ କମର୍ସରୁ ପାଠପଢ଼ା ସାରିଥିଲେ। ଏହି ସମୟରେ ସେ ଦିଲ୍ଲୀର ଏକ ଲୋକାଲ୍‌ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ। ପଢ଼ା ଶେଷ ହେବା ପରେ ବମ୍ବେକୁ ଆସିଥିଲେ ସେ। ଏଠାରେ ଥିଏଟର କଳାକାର ଏବଂ ମଡେଲ ଭାବେ ସେ କାମ କରିଥିଲେ। ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ସେ ଆଲବମ୍‌ ଏବଂ ବିଜ୍ଞାପନରେ କାମ କରିଛନ୍ତି। ଏପରିକି ମନଲାଖୀ ଭୂମିକାଟିଏ ନ ମିଳିବାରୁ ସେ ପ୍ରଥମେ ୨୭ରୁ ୨୮ ଫିଲ୍ମକୁ ନା ମଧ୍ୟ କରିଥିଲେ ବୋଲି କୁହାଯାଉଛି।

ଇଂରାଜୀ ଫିଲ୍ମ ‘ଓ୍ବାନ୍‌ ନାଇ୍‌ ଉଇଥ୍‌ ଦ କିଙ୍ଗ’ରୁ ସେ ଚଳଚ୍ଚିତ୍ରରେ ନିଜର ଡେବ୍ୟୁ କରିଥିଲେ। ଏହାପରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ପେଡ୍‌ଲର’ରୁ ସେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାଛଡ଼ା ‘ଲଞ୍ଚବକ୍ସ ଏବଂ ଏୟାରଲିଫ୍ଟ’ ଭଳି ଫିଲ୍ମରେ ନିଜର ସ୍ବତନ୍ତ୍ର ଅଭିନୟ ଶୈଳୀରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଅଭିନୟ ବ୍ୟତିତ ନିମ୍‌ରତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ମୂଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କ ନେଇ ଶୁଣିବାକୁ ମିଳିଥିଲା। ଏହା ନିମ୍‌ରତଙ୍କୁ ଖୁବ୍‌ ଚିନ୍ତାରେ ପକାଇଥିଲା। ତେବେ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଏଭଳି କିଛି ଗୁଜବ ଉଠିଥିଲା। ହେଲେ କେହି ବି ଏନେଇ ମନ୍ତବ୍ୟ ନ ଦେବାରୁ ଚର୍ଚ୍ଚାରେ ବିରାମ ଲାଗିଥିଲା।

ଆଗାମୀ ଦିନରେ ନିମ୍‌ରତଙ୍କ ଫିଲ୍ମ ‘ଦଶ୍‌ବି’ ରିଲିଜ ହେବ। ଏଥିରେ ତାଙ୍କ ସହ ଅଭିଷେକ ବଚ୍ଚନ ନଜର ଆସିବେ।

Share