ଓଡ଼ିଶା ସମେତ ୯ ରାଜ୍ୟକୁ କୋଭିଡ୍‌ ଭୟ ଅଧିକ

ନୂଆଦିଲ୍ଲୀ,୧୮ା୭(ପି.ଟି.): ଓଡ଼ିଶା ସମେତ ୯ ରାଜ୍ୟର ବିଭିନ୍ନ ଜିଲାକୁ କୋଭିଡ୍‌-୧୯ ମହାମାରୀ ପ୍ରଭାବର ଭୟାବହତା ସର୍ବାଧିକ ବୋଲି ଲାନ୍‌ସେଟ୍‌ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲେ ମଧ୍ୟପ୍ରଦେଶ, ବିହାର, ତେଲଙ୍ଗାନା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଗୁଜରାଟ। ମଧ୍ୟପ୍ରଦେଶର ବିଭିନ୍ନ ଜିଲା ପ୍ରତି କରୋନା ପ୍ରଭାବ ସର୍ବାଧିକ ସମ୍ବେଦନଶୀଳ ହୋଇପାରେ। ଜନସଂଖ୍ୟା ପରିଷଦ ନୂଆଦିଲ୍ଲୀର ରାଜୀବ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ରାଜ୍ୟଗୁଡ଼ିକରେ ସଂକ୍ରମଣ ବଢ଼ିବା, ଅସୁସ୍ଥତା, ମୃତ୍ୟୁହାର ଏବଂ ମହାମାରୀର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଅଧିକ ଭୟାବହ ହେବା ସମ୍ଭାବନା ରହିଛି। ସାମାଜିକ ଅର୍ଥନୈତିକ, ଭୌଗୋଳିକ, ଗୃହନିର୍ମାଣ ଓ ସ୍ବାସ୍ଥ୍ୟ, ମହାମାରୀ ବିଜ୍ଞାନ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ବନ୍ଧୀୟ ୫ଟି କ୍ଷେତ୍ରରୁ ୧୫ଟି ସୂଚକକୁ ନେଇ ରାଜ୍ୟଗୁଡ଼ିକର ସମ୍ବେଦନଶୀଳତା ଆକଳନ କରାଯାଇଥିଲା। ଏହି ସୂଚକାଙ୍କ ଯୋଜନା ପ୍ରସ୍ତୁତକାରୀ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ସହାୟତା କରିବା ଲକ୍ଷ୍ୟରେ ପ୍ରସ୍ତୁତ କରଯାଇଛି। ଫଳରେ ମହାମାରୀ ମୁକାବିଲା ପ୍ରସ୍ତୁତିରେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯିବ ସହ ସମ୍ବଳ ମଞ୍ଜୁର କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ଯେଉଁସବୁ ଜିଲା ଚୟନ କରିଛନ୍ତି, ସେଠାରେ ଏବେ କରୋନା ସଂକ୍ରମଣ ଅଧିକ ହୋଇନାହିଁ, କିନ୍ତୁ ମହାମାରୀ ଯୋଗୁ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି।

Share