Categories: ଜାତୀୟ

୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ ସମାନ। କେରଳରେ ନିପା ସଂକ୍ରମଣ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟକୁ ସତର୍କ କରାଯାଇଛି। ତେବେ ଭାରତୀୟ ବୈଜ୍ଞାନିକମାନଙ୍କ ସତର୍କତା ଆଧାରରେ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ତରରେ ସତର୍କ ରହିବା ଲାଗି ସୂଚନା ଜାରି କରାଯାଇଛି। ନିପା ଭାଇରସ ଦେଶରେ ବାଦୁଡିମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେଉଛି।

ଅଦ୍ୟାବଧି, ୧୦ ଟି ରାଜ୍ୟରେ ଏହି ଭାଇରସରଉପସ୍ଥିତି ଚିହ୍ନଟ ହୋଇସାରିଛି, ଏହା ସତ୍ତ୍ୱେ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ କେହି ମଧ୍ୟ ନୀରିକ୍ଷଣସ୍ତରକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରୁନାହାଁନ୍ତି। ପରିସଂଖ୍ୟାନ ଦର୍ଶାଉଛି ଭାରତରେ ନିପାର ପ୍ରଥମ ମାମଲା ୨୦୦୧ରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା। ସେଠାରେ ୨୦୦୭ ରେ ଦ୍ୱିତୀୟ ଥର ଲୋକେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହା ପରେ, ୨୦୧୮ ରେ ତୃତୀୟ ଥର ପାଇଁ କେରଳରେ ନିପା ମାମଲା ରିପୋର୍ଟ ହୋଇଥିଲା ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେବେଠାରୁ ନିପା ସଂକ୍ରମଣ ଚାରିଥର କେରଳରେ ବ୍ୟାପିଛି। ଏହା ୧୯ ଜଣଙ୍କ ଜୀବନ ନେଇଛି। ତେବେ କେରଳ ବ୍ୟତୀତ ତାମିଲନାଡୁ, ଗୋଆ, କର୍ନାଟକ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଏବଂ ପୁଡୁଚେରୀରେ ସଂକ୍ରମିତ ବାଦୁଡି ଦେଖିବାକୁ ମିଳିଛି।

ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ର ମୁଖ୍ୟ ବୈଜ୍ଞାନିକ ଡାକ୍ତର ପ୍ରୟାଗ ଯାଦବ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ନିପା ସଂକ୍ରମଣ ଉପରେ ୬ ରୁ ୭ ଟି ଅଧ୍ୟୟନ କରିଛନ୍ତି। ଏପର୍ଯ୍ୟନ୍ତ ନିପା ସଂକ୍ରମିତ ରୋଗୀଙ୍କଠାରେ ଦୁଇଟି ରୋଗ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଗୋଟିଏ ଶୀଘ୍ର ଆରମ୍ଭ ହୋଇଥିବା ଶ୍ୱାସକ୍ରିୟା ରୋଗ ଏବଂ ବିଳମ୍ବରେ ଆରମ୍ଭ ହୋଇଥିବା ସ୍ନାୟୁଗତ ଲକ୍ଷଣ ରହିଛି।

ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ କେରଳର କୋଝିକୋଡେ ଜିଲାରେ ୪୦ ରୁ ଅଧିକ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ପୋଲିସ କର୍ଡନ ଦ୍ୱାରା ସ୍କୁଲ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିଛି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଝିକୋଡେସ୍ଥିତ ଏକ ଘରୋଇ ଡାକ୍ତରଖାନାର ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ତିନି ଜଣ ଲୋକ ସଂକ୍ରମିତ ହୋଇଛନ୍ତି।

ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକ ପରୀକ୍ଷା କରିଛନ୍ତି। କୋଝିକୋଡେ ଜିଲା କଲେକ୍ଟର ଏ ଗୀତା କହିଛନ୍ତି ନିପା ସଂକ୍ରମଣ ରୋଗୀଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୭୦୨ କୁ ବୃଦ୍ଧି ପାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିପଦପୂର୍ଣ୍ଣ ବର୍ଗରେ ଅଛନ୍ତି।

 

Share