Categories: ଜାତୀୟ

କେରଳରେ ନିପା ଆତଙ୍କ: ୯ ପଞ୍ଚାୟତର ୫୮ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷିତ…

ଥିରୁଭାନନ୍ତପୁରମ,୧୪।୯ : ନିପା ସଂକ୍ରମଣ ନେଇ କେରଳରେ ଆତଙ୍କ ସୃଷ୍ଟି ହୋଇଛି। ଏହି ଭୂତାଣୁ ନ ବ୍ୟାପିବା ପାଇଁ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ ଏବଂ ପ୍ରତିବନ୍ଧକ ଘୋଷଣା କରିସାରିଛନ୍ତି। ଆକ୍ରାନ୍ତଙ୍କ ତାଲିକା ଚିନ୍ତାର କାରଣ ପାଲଟିଛି । କାରଣ ୭୦୦ ଲୋକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ୭୦୦ମଧ୍ୟରୁ ୭୭ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛନ୍ତି ବୋଲି କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି।

ଅଧିକ ବିପଦପୂର୍ଣ୍ଣ ନିପା ଆକ୍ରାନ୍ତଙ୍କୁ ସେମାନଙ୍କ ଘର ଭିତରେ ରହିବାକୁ କୁହାଯାଇଛି। ମୃତ୍ୟୁ ଘଟିଥିବା ଦୁଇ ନିପା ଆକ୍ରାନ୍ତଙ୍କ ମାର୍ଗ ପ୍ରକାଶ ପାଇଛି। ଲୋକମାନଙ୍କୁ ସେହି ମାର୍ଗରେ ନ ଯିବାକୁ କୁହାଯାଇଛି।

କୋଝିକୋଡେରେ, ଉତ୍ସବ ଏବଂ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

କୋଝିକୋଡେ ଜିଲାର ଭାଦାକରା ତାଲୁକର ନଅଟି ପଞ୍ଚାୟତରେ ୫୮ ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ କେବଳ ଜରୁରୀ କାଳୀନ ସେବାକୁ ପ୍ରବେଶ ପ୍ରସ୍ଥାନ ଅନୁମତି ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ୭ଟାରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଫାର୍ମାସି ଏବଂ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ କୌଣସି ସମୟ ସୀମା ଦିଆଯାଇ ନାହିଁ।

କଣ୍ଟେନମେଣ୍ଟ ଜୋନ ଦେଇ ଜାତୀୟ ରାଜପଥରେ ଯାଉଥିବା ବସ କିମ୍ବା ଯାନଗୁଡିକ ପ୍ରଭାବିତ ଅଞ୍ଚଳରେ ନ ଅଟକି ବାକୁ ସତର୍କ ସୂଚନା ଜାରି କରାଯାଇଛି।

Share