Categories: ଜାତୀୟ

କେରଳରେ ପୁଣି ନିପା ଭାଇରସ୍‌ ଭୟ: ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ଆଲର୍ଟ ଜାରି

ଥିରୁଭାନନ୍ତପୁରମ୍‌,୧୨।୯: କେରଳରେ ପୁଣି ନିପା ଭାଇରସ୍‌ ଭୟ ଦେଖଦେଇଛି। କୋଜିକୋଡେ ଜିଲାରେ ଏହି ଭାଇରସ୍‌ ସଂକ୍ରମଣ ହେତୁ ଦୁଇ ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସତର୍କ ସୂଚନା ଜାରି କରିଛନ୍ତି। ନିପା ଭାଇରସର ବିପଦକୁ ଦୃଷ୍ଟିରେ ରଖି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜ୍ୱର ପରେ ଦୁଇଟି ସନ୍ଦେହଜନକ ମୃତ୍ୟୁ ଏକ ଘରୋଇ ଡାକ୍ତରଖାନାରୁ ମିଳିଥିବା ସୂଚନା ମିଳିଛି। ଦୁଇ ଜଣ ଲୋକ ନିପା ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଆଇସିୟୁରେ ଭର୍ତ୍ତି କରାଯାଇଛି।
୨୦୧୮ ଏବଂ ୨୦୨୧ରେ କୋଜିକୋଡେ ଜିଲାରେ ନିପା ଭାଇରସ ସଂକ୍ରମଣ ହେତୁ ମୃତ୍ୟୁ ରେକର୍ଡ କରାଯାଇଥିଲା। ଦକ୍ଷିଣ ଭାରତରେ ନିପା ଭାଇରସର ପ୍ରଥମ ସଂକ୍ରମଣ କୋଜିକୋଡେରେ ୧୯ ମେ, ୨୦୧୮ରେ ମିଳିଥିଲା।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ନିପା ଭାଇରସ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥାଏ ଏବଂ ଦୂଷିତ ଖାଦ୍ୟ ମାଧ୍ୟମରେ କିମ୍ବା ସିଧାସଳଖ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ମଧ୍ୟ ବ୍ୟାପିପାରେ। ନିପା ଜୀବାଣୁ ସଂକ୍ରମିତ ଲୋକମାନେ ଶ୍ୱାସ ରୋଗ ଏବଂ ସାଂଘାତିକ ଏନସେଫାଲାଇଟିସ ସମେତ ବିଭିନ୍ନ ରୋଗ ବିସ୍ତାର କରିପାରନ୍ତି।

Share