ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ

ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ ଅଫିସ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମନୋନୀତ କରିଥିଲେ। ତେବେ ନିଜ ଦଳ ଡେମୋକ୍ରାଟ ସମେତ ରିପବ୍ଲିକାନ ସିନେଟରଙ୍କ ବିରୋଧ ଯୋଗୁ ନୀରା ପ୍ରାର୍ଥତ୍ତ୍ୱ ପ୍ରତ୍ୟାହାର କରିନେଇଛନ୍ତି। ବାଇଡେନ୍‌ଙ୍କୁ ଏହା ପ୍ରଥମ ଝଟ୍‌କା ବୋଲି କୁହାଯାଉଛି।
ନୀରା ପୂର୍ବରୁ କରିଥିବା ବିବାଦୀୟ ଟୁଇଟ୍‌ ପାଇଁ ତାଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ସିନେଟ ସଦସ୍ୟମାନେ ତାଙ୍କ ପ୍ରତିନିଧିତ୍ୱ ବିରୋଧରେ ଭୋଟ ଦେବେ ବୋଲି ଘୋଷଣା କରିଥିଲେ। ଗତବର୍ଷ ନଭେମ୍ବରରେ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବା ପରେ ନୀରା ହଜାରେରୁ ଊର୍ଦ୍ଧ୍ୱ ଟୁଇଟ୍‌କୁ ହଟାଇ ଦେଇଥିଲେ, ଯାହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ‘ସେଣ୍ଟର ଫର୍‌ ୍‌ଆମେରିକାନ ପ୍ରୋଗ୍ରେସ୍‌’ ନାମକ ଥିଙ୍କ୍‌ ଟ୍ୟାଙ୍କର ଅଧ୍ୟକ୍ଷ ଥିବା ନୀରାଙ୍କ ନିଯୁକ୍ତିକୁ ସିନେଟ ଅନୁମୋଦନ କରିଥିଲେ ସେ ଆମେରିକା ଅର୍ଥନୀତିର ମୁଖ୍ୟ ପଦବୀରେ ଅଧିଷ୍ଠିତ ହେବା ସହ ରାଷ୍ଟ୍ରପତି ବାଇଡେନ୍‌ଙ୍କ କାର୍ଯ୍ୟସୂଚୀ ପାଇଁ ପ୍ରସ୍ତାବିତ ବଜେଟ୍‌ ପ୍ରସ୍ତୁତିର ଦେଖାରଖା କରିଥାନ୍ତେ। ଓଏମ୍‌ବି ହ୍ବାଇଟ୍‌ ହାଉସରେ ବଜେଟ ପ୍ରସ୍ତୁତିର ଦାୟିତ୍ୱ ନେବା ସହ ନୂଆ ନୀତି ନିୟମ ପ୍ରଣୟନରେ ମୁଖ୍ୟ ଭୂମିକା ନିଭାଇଥାଏ। ନୀରାଙ୍କ ପ୍ରାର୍ଥତ୍ତ୍ୱ ପ୍ରତ୍ୟାହାରକୁ ବାଇଡେନ୍‌ ଗ୍ରହଣ କରିଛନ୍ତି।

Share