Categories: ଖେଳ

ନୀରଜ ନମ୍ବର ଓ୍ବାନ

ନୂଆଦିଲ୍ଲୀ, ୨୩ା୫ (ପି.ଟି.): ବିଶ୍ୱ ଆଥଲେଟିକ୍ସ ଦ୍ୱାରା ସଦ୍ୟ ପ୍ରକାଶିତ ପୁରୁଷ ଜାଭେଲିନ୍‌ ଥ୍ରୋ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ତାଙ୍କ କ୍ୟାରିୟରରେ ପ୍ରଥମ ଥର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଲିକାରେ ଚୋପ୍ରାଙ୍କ ପଏଣ୍ଟ ସଂଖ୍ୟା ୧୪୫୫ ପଏଣ୍ଟ ଦର୍ଶାଯାଇଛି। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୧୪୩୩)ଙ୍କଠାରୁ ସେ ୨୨ ପଏଣ୍ଟ ଆଗରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ବିଜେତା ଚେକ୍‌ ରିପବ୍ଲିକର ଜାକବ ଭାଦ୍‌ଲେଜଜ୍‌ (୧୪୧୬) ତୃତୀୟ ସ୍ଥାନରେ ଅଛନ୍ତି। ୨୫ ବର୍ଷୀୟ ଚୋପ୍ରା ଗତବର୍ଷ ଅଗଷ୍ଟ ୩୦ରେ ନମ୍ବର୨କୁ ଉନ୍ନୀତ ହୋଇଥିଲେ। ଏହାପରଠାରୁ ସେ ପିଟର୍ସଙ୍କ ପଛରେ ରହି ଆସିଥିଲେ। ଗତବର୍ଷ ସେପ୍ଟେମ୍ବରରରେ ନୀରଜ ଚୋପ୍ରା ଜୁରିଚ୍‌ଠାରେ ଡାଇମଣ୍ଡ ଲିଗ୍‌ ୨୦୨୨ ଫାଇନାଲ୍ସ ଜତି ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଟ୍ରଫି ହାସଲ କରିଥିଲେ। ଚଳିତ ବର୍ଷ ମେ ୫ରେ ସିଜନ ଓପନିଂ ଦୋହା ଡାଇମଣ୍ଡ ଲିଗରେ ୮୮.୬୭ ମିଟର ଥ୍ରୋ କରି ସେ ଟାଇଟଲ ଜିତିଥିଲେ। ଆଗକୁ ସେ ନେଦରଲାଣ୍ଡ୍ସରେ ଜୁନ୍‌ ୪ରେ ହେବାକୁଥିବା ଏଫ୍‌ବିକେ ଗେମ୍ସରେ ଅଂଶଗ୍ରହଣ କରିବେ। ପରେ ସେ ଜୁନ୍‌ ୧୩ରେ ଫିନ୍‌ଲାଣ୍ଡର ତୁର୍କୁଠାରେ ପାଭୋ ନୁର୍ମି ଗେମ୍ସରେ ସେ ଭାଗ ନେବେ।

Share