ପିଏଚ୍‌ସିରେ ନିରାମୟ ଯୋଜନା ପ୍ରହସନ

କୋରେଇ,୪।୪(ଡି.ଏନ.ଏ.): ରାଜ୍ୟ ସରକାର ବର୍ତ୍ତମାନ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ କିପରି ନିଃଶୁଳ୍କ ସେବା ପାଇବେ ସେନେଇ ରାଜ୍ୟରେ ଗତ ୬ବର୍ଷ ହେବ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ନିରାମୟ ଯୋଜନାର ସଫଳ ରୂପାୟନ ହେଉନାହିଁ। ସରକାରଙ୍କ ମାଗଣା ଔଷଧ ବିତରଣ ଉପରୁ ଲୋକଙ୍କ ଭରସା ରହୁନାହିଁ । ଏହାର ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି ।
ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବୈତରଣୀ, ଦୁଲାଖାପାଟଣା, ପାଣିକୋଇଲି, ମସୁଦପୁର, ଶଙ୍ଖଚିଲା, ପୂର୍ବକୋଟ ପରି ୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ସବୁଠାରୁ ବଡ଼ କଥା ରୋଗୀମାନଙ୍କ ପାଇଁ ନିରାମୟ ଯୋଜନାରେ ଆସୁଥିବା ମାଗଣା ଔଷଧକୁ ଲୋକଙ୍କୁ ଦେବା ବଦଳରେ ଡାକ୍ତରମାନେ ବାହାର ଦୋକାନରୁ କୋତେଟି ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ ଲେଖୁଥିବା ସାଧାରଣରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଏବେ ବୈତରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି । ଦାୟିତ୍ୱରେ ଥିବା ଜଣେ ଡାକ୍ତର ଟୋରାଇନ୍ସ ଲାଇଫ୍‌ ସାଇନ୍ସ ନାମକ ଏକ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରତି ପ୍ରେସକ୍ରିପ୍‌ସନରେ ସେହି କମ୍ପାନୀର ଔଷଧ ଲେଖୁଥିବା ଅଭିଯୋଗ ହେଉଛି। ସାମାନ୍ୟ ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇଥିବା ରୋଗୀମାନଙ୍କୁ ଅନାବଶ୍ୟକ ଭାବେ ରକ୍ତ, ମଳମୂତ୍ର ପରୀକ୍ଷା ପାଇଁ ଡାକ୍ତର ଏକ ପାଥୋଲୋଜି ସେଣ୍ଟରକୁ ପଠାଉଥିବା ଅଧିକାଂଶ ରୋଗୀ କହିଛନ୍ତି ।
ସୂଚନାଯୋଗ୍ୟ, ବୈତରଣୀ ରୋଡରେ ଚାଲୁଥିବା ବହୁ ପାଥୋଲ୍ୟାବ୍‌ ମାଲିକଙ୍କ ନିକଟରେ ଡିପ୍ଲୋମା ଇନ୍‌ ମେଡିକାଲ ଲାବ୍ରୋଟୋରୀ ଟେକ୍ନୋଲୋଜି ସାର୍ଟିଫିକେଟ ନାହିଁ। ଏହାପରେ ବି ସେହି ପାଥୋଲ୍ୟାବ୍‌ ମାଲିକମାନେ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ପଞ୍ଜିକରଣ ନ କରି ଅନଭିଜ୍ଞ ଲୋକଙ୍କ ଦ୍ୱାରା ବିନା ପରୀକ୍ଷାରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏପରିକି କୋରେଇ ଅଞ୍ଚଳରେ ଚାଲୁଥିବା ଅଧିକାଂଶ ଔଷଧ ଦୋକାନ ମଧ୍ୟ ବେଆଇନ ଭାବେ ଚାଲିଛି । ସରକାରୀ ନିୟମ ଅନୁଯାୟୀ ମେଡ଼ିସିନ ଷ୍ଟୋର୍‌ ଖୋଲିବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ନାମରେ ଲାଇସେନ୍ସ ରହିବା ସହ ଦୋକାନରେ ଔଷଧ ବିକ୍ରି ସମୟରେ ଖୋଦ୍‌ ଫାର୍ମାସିଷ୍ଟ ଉପସ୍ଥିତ ରହିବା ଅର୍ନିବାର୍ଯ୍ୟ । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତେବେ ଏପରି ଅଭିଯୋଗକୁ ଡାକ୍ତର ରୀତାମଞ୍ଜରୀ ସ୍ବାଇଁ ଖଣ୍ଡନ କରିଛନ୍ତି । ରୋଗୀମାନେ କହିବା ମୁତାବକ ସେ ପ୍ରେସକ୍ରିପଶନରେ ବେସରକାରୀ ଔଷଧ ଲେଖୁଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଶିବାଶିଷ ମହାରଣାଙ୍କୁ ପଚାରିବାରେ ଆୟୁଷ ଡାକ୍ତରଙ୍କ ବଦଳି ନେଇ ସେ ଜିଲାପାଳଙ୍କ ସହ ଆଲୋଚନା କରିବେ । ଏଥିସହିତ ବେଆଇନ ପାଥୋଲ୍ୟାବ୍‌ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।