ଭାଜପାକୁ ଟାର୍ଗେଟ କଲେ ନିରଞ୍ଜନ, ଆକ୍ରମଣ ଘଟଣାରେ ଜଣେ ଅଟକ

କେନ୍ଦୁଝର,୧୮।୧(ସ୍ବ.ପ୍ର.): ରବିବାର କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବ ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି। ଅଟକ ଯୁବକ ହେଉଛନ୍ତି ସଞ୍ଜୟ ମହାନ୍ତି। ଘର କେନ୍ଦୁଝର ଟାଉନ ମାଧପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟୁଇଟ୍‌ ଯୋଗେ ସିଧାସଳଖ ଭାଜପାକୁ ଟାର୍ଗେଟ କରିଛନ୍ତି।ତାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାକୁ ଭୀରୁତା ବୋଲି କହିବା ସହ ଦଳର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତି। ‘ଆକ୍ରମଣକାରୀ ଭାଜପା ଯୁବ ମୋର୍ଚ୍ଚାର ସଦସ୍ୟ ଜାଣି ସେ ଆଶ୍ଚର୍ଯ୍ୟ’ ବ୍ୟକ୍ତ କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତ। ସେ ଭାଜପା ଦଳର ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଆକ୍ରମଣ ହୋଇଥିବା କହିବା ସହ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ପୁରୁନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି।