ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଓଡିଶାକୁ ଅଣଦେଖା କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି କମିଟିରେ ଓଡ଼ିଶାରୁ କେବଳ ୩ ଜଣ ଥିବାବେଳେ ପଶ୍ଚିମବଙ୍ଗରୁ ୨୬ ଜଣ ରହିଛନ୍ତି। ଏହା ଓଡ଼ିଶା ପାଇଁ ଦୁଃଖ ଓ ପରିତାପର ବିଷୟ ବୋଲି ନିରଞ୍ଜନ କହିଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡିଶାର କଟକ ଜିଲାରେ ଜନ୍ମଗ୍ରହଣ କରି ବାଲ୍ୟଶିକ୍ଷା ସମାପ୍ତ କରିଛନ୍ତି। ତାଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନକୁ ରାଜ୍ୟ ସରକାର ନେତାଜୀ ସଂଗ୍ରହାଳୟରେ ପରିଣତ କରିଛନ୍ତି। ଯେଉଁଠାରେ ନେତାଜୀଙ୍କ ସହ ଜଡିତ ସ୍ମାରକପତ୍ର ପ୍ରଦର୍ଶିତ ହେଉଛି। ଏଠାରେ ଉପଲବ୍ଧ ଥିବା ଅବିସ୍ମରଣୀୟ ଫଟୋଚିତ୍ର, କାଗଜପତ୍ର, ସ୍ମୃତିକୁ ଜାତି ଉଦ୍ଦ୍ୟେଶରେ ସୁରକ୍ଷିତ ରଖିବା ପାଇଁ ସୁବାଷ ବୋଷଙ୍କ ଜନ୍ମପୀଠକୁ ଜାତୀୟ ସଂଗ୍ରହାଳୟରେ ପରିବର୍ତ୍ତନ କରିବା ପାଇଁ ନିରଞ୍ଜନ ନିବେଦନ କରିଛନ୍ତି। ନେତାଜୀ ଓଡ଼ିଶା ମାଟିର ଯୋଗ୍ୟତମ ଦାୟାଦ। ସେ ଛାତ୍ର ଆନ୍ଦୋଳନର ପ୍ରବର୍ତ୍ତକ ଅଟନ୍ତି। ଏଣୁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ଓଡ଼ିଶାର ରାଜ୍ୟପାଳ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ଆଜାଦ ହିନ୍ଦ ଫୌଜ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ରାଜନେତା, ବୁଦ୍ଧଜୀବୀ, ଖବରଦାତାଙ୍କ ସମେତ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ୨୫ଜଣ ବ୍ୟକ୍ତି ବିଶେଷଙ୍କୁ ଏହି କମିଟିରେ ସ୍ଥାନୀତ କରିବାକୁ ସେ କହିଛନ୍ତି।

Share