Categories: ଫୁରସତ

ନିର୍‌ମା ଗର୍ଲ

ଓ୍ବାଶିଂ ପାଉଡର୍‌ ନିର୍‌ମା… ବିଜ୍ଞାପନଟି ସମସ୍ତେ ଦେଖିଥିବେ। ଯାହାର ସୁନ୍ଦର ଜିଙ୍ଗଲ୍‌ ଏବଂ ପ୍ୟାକେଟ୍‌ରେ ଥିବା ଫ୍ରକ ପିନ୍ଧା କୁନି ଝିଅର ଫଟୋ ତ ଆଜିଯାଏ
ସମସ୍ତଙ୍କ ମନରେ ଘର କରି ରହିଛି। ତେବେ କେବେ ଭାବିଛନ୍ତି କି ନିର୍‌ମା ପ୍ୟାକେଟ୍‌ର ସେଇ କୁନି ଝିଅଟି କିଏ? ଜାଣନ୍ତୁ ସେହି ନିର୍‌ମା ଗର୍ଲ ସମ୍ପର୍କରେ…

ନିର୍‌ମା ଓ୍ବାଶିଂ ପାଉଡ଼ର୍‌ ପ୍ୟାକେଟ୍‌ରେ ଦୁଇ ହାତକୁ ପ୍ରସାରିତ କରି ଘିରି ଘିରି ବୁଲୁଥିବା କୁନି ଝିଅର ଫଟୋ ସମସ୍ତେ ଦେଖିଥିବେ। ସମୟ ସହ ପ୍ୟାକେଟ୍‌ ଡିଜାଇନ୍‌ରେ ପରିବର୍ତ୍ତନ ଆସିଛି। ହେଲେ ସେଇ କୁନି ଝିଅର ଫଟୋ ପ୍ୟାକେଟ୍‌ରେ ଆଜିବି ଦେଖିବାକୁ ମିଳେ। ଜାଣନ୍ତି ସେ ଝିଅଟି କିଏ? ଝିଅଟିର ନାଁ ହେଉଛି ‘ନିରୁପମା’। ଏଇ ଝିଅର ନାମାନୁସାରେ ହିଁ ଉକ୍ତ ଓ୍ବାଶିଂ ପାଡର୍‌ର ନାମ ‘ନିର୍‌ମା’ ରଖାଯାଇଛି। ଗୁଜୁରାଟର କରସଣ ଭାଈ ପଟେଲ୍‌ ହେଉଛନ୍ତି ନିର୍‌ମା ଓ୍ବାଶିଂ ପାଉଡର କମ୍ପାନୀର ମାଲିକ। ଆଉ କରସଣ ଭାଈଙ୍କର ଝିଅ ଥିଲେ ନିରୁପମା, ଯାହାକୁ ସେ ଆଦରରେ ‘ନିର୍‌ମା’ ବୋଲି ଡାକୁଥିଲେ। ୧୯୬୯ରେ ସେ ଓ୍ବାଶିଂ ପାଉଡ଼ର୍‌ ତିଆରି କରିଥିଲେ। କୃଷକ ପରିବାରର କରସଣ ଭାଈ କେମେଷ୍ଟ୍ରିରେ ଗ୍ରାଜୁଏଟ ଥିଲେ। ଆଉ ପ୍ରଥମେ ସେ ଅହମଦାବାଦର ନ୍ୟୁ କଟନ୍ସ ମିଲରେ ଜଣେ ଲ୍ୟାବ ଟେକ୍‌ନିସିଆନ୍‌ ଓ ପରେ ଗୁଜୁରାଟ ସରକାରଙ୍କ ଜିଓଲୋଜି ଓ ମାଇନିଂରେ କାମ କରୁଥିଲେ। ବିଭିନ୍ନ ରାସାୟନିକ ପଦାର୍ଥ ଉପରେ ଜ୍ଞାନ ଥିବାରୁ ସେ ନିଜେ ଏକ ଓ୍ବାଶିଂ ପାଉଡର ତିଆରି କରିପାରିଥିଲେ। ନିଜ ହାତରେ ଘର ପଛପଟେ ଖାଲି ପଡ଼ିଥିବା ଜାଗାରେ ସେ ଓ୍ବାଶିଂ ପାଉଡର ତିଆରି କରୁଥିଲେ। ଆଉ ଅଫିସ୍‌ରୁ ଫେରିବା ପରେ ସନ୍ଧ୍ୟାବେଳେ ସାଇକେଲରେ ଘର ଘର ବୁଲି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ। ଚାକିରି ବାଦ୍‌ ଏହାଥିଲା ତାଙ୍କର ଓ୍ବାନ୍‌ ମ୍ୟାନ୍‌ କମ୍ପାନୀ। ବଜାରରେ ମିଳୁଥିବା ଭଲ ବ୍ରାଣ୍ଡର ଓ୍ବାଶିଂ ପାଉଡର ଠାରୁ ଏକ ତୃତୀୟାଂଶ କମ୍‌ ଦାମ୍‌ରେ ଅର୍ଥାତ୍‌ କି.ଗ୍ରା. ପିଛା ମାତ୍ର ୩ ଟଙ୍କାରେ ସେ ଓ୍ବାଶିଂ ପାଉଡର ବିକ୍ରି କରୁଥିଲେ। କମ୍‌ ଦାମ ଓ ଭଲ ପ୍ରଡକ୍ଟ ହୋଇଥିବାରୁ ଖୁବ୍‌ କମ୍‌ ଦିନରେ ଏହା ଲୋକଙ୍କର ପ୍ରିୟ ପାଲଟି ଯାଇଥିଲା। ତେବେ ଏହି ସମୟରେ ତାଙ୍କ ଝିଅ ନିର୍‌ମା ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଝିଅକୁ ଅମର ରଖିବା ଲାଗି ସେ ନିଜ ଡିଟରଜେଣ୍ଟ ପାଉଡରର ନାଁ ‘ନିର୍‌ମା’ ରଖିଲେ। ପାଖରେ ଥିବା ଝିଅର ଏକ ମାତ୍ର ଫଟୋ ଯେଉଁଥିରେ ସେ ଖୁସିରେ ଘିରି ଘିରି ବୁଲୁଥିଲା ତାକୁ ପ୍ୟାକେଟ୍‌ରେ ସ୍ଥାନ ଦେଲେ। ଚାକିରି ଛାଡି ନିଜ ବ୍ୟବସାୟକୁ ଧ୍ୟାନ ଦେଲେ। ଆଉ ଦିନକୁ ଦିନ ଏହା ଲୋକପ୍ରିୟ ହେବାକୁ ଲାଗିଲା। ତଥାପି ତାଙ୍କର ଲାଭ ହେଉ ନ ଥିଲା। କାରଣ ଦୋକାନୀମାନେ ଡିଟରଜେଣ୍ଟ ପାଉଡର କିଣୁଥିଲେ ସତ ହେଲେ ଟଙ୍କା ଦେଉ ନ ଥିଲେ। ଚାକିରି ନ ଥିଲା ଏଣେ ବ୍ୟବସାୟରେ କିଛି ଲୋକଙ୍କୁ ବି ରଖିଥିଲେ। ତେଣୁ ଯେମିତି ବି ହେଉ ବ୍ୟବସାୟକୁ ବଢାଇବାକୁ ହେବ ଭାବି ସେ ଡିଟରଜେଣ୍ଟ ପାଉଡ଼ର୍‌ ପାଇଁ ବିଜ୍ଞାପନ ତିଆରି କଲେ। ଗୃହିଣୀଙ୍କ ମନକୁ ପାଇଲା ଭଳି ଜିଙ୍ଗଲ୍‌ ସହ ବିଜ୍ଞାପନ ପ୍ରସ୍ତୁତ ହେଲା। ଆଉ ପ୍ରସାରଣ ପୂର୍ବରୁ ବଜାରରୁ ସବୁ ନିର୍‌ମା ପ୍ୟାକେଟ ଉଭାନ କରାଇଦେଲେ। ଯେବେ ବିଜ୍ଞାପନ ଟିଭିରେ ପ୍ରସାରିତ ହେଲା ଲୋକେ ଏତେ ପ୍ରଭାବିତ ହେଲେ ଯେ ନିର୍‌ମାକୁ ବଜାରରେ ଖୋଜିଲେ। ଆଉ ଦୋକାନୀମାନେ ବାଧ୍ୟ ହୋଇ ଉଚିତ ମୂଲ୍ୟ ଦେଇ ନିର୍‌ମା ପ୍ୟାକେଟ୍‌ କିଣିଲେ। ଆଉ ଦେଖୁ ଦେଖୁ ସର୍ଫ, ହିନ୍ଦୁସ୍ତାନ ଲିଭର୍‌ ପରି ବଡ଼ ବଡ଼ କମ୍ପାନୀଠାରୁ ବି ନିର୍‌ମା ଆଗେଇଗଲା। ଫଳରେ ବ୍ୟବସାୟ ବଢିଲା ଓ ଝିଅ ନିର୍‌ମା ବି ଘରେ ଘରେ ପରିଚିତ ହେଇଗଲା। ଆଉ ସବୁଦିନ ପାଇଁ ଅମର ହେଇଗଲା।

Share