ସେଲ୍‌ସ ଗର୍ଲରୁ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ ଜନ୍ମ ନେଇଥିଲେ ସୀତାରାମଣ। ସୀତାରାମଣ ହାତଗଣତି ସେହି ମହିଳା ନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ ଖୁବ୍‌କମ୍‌ ସମୟ ମଧ୍ୟରେ ରାଜନୀତିର ଶୀର୍ଷରେ ପହଞ୍ଚିପାରିଛନ୍ତି। ସେ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିବା ବେଳେ ସେ ପେଶାରେ ଜଣେ ଅର୍ଥଶାସ୍ତ୍ରୀ ଓ ସମାଜସେବୀ। ସୀତାରାମଣଙ୍କ ପିତା ଭାରତୀୟ ରେଲଓ୍ବେରେ ଜଣେ କର୍ମଚାରୀ ଥିଲେ। ଏଥିପାଇଁ ନିର୍ମଳାଙ୍କ ପିଲାଦିନ ବିଭିନ୍ନ ରାଜ୍ୟରେ କଟିଛି। ସେ ସିତାଲକ୍ଷ୍ମୀ ରାମାସ୍ବାମୀ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ପାଇଥିବା ବେଳେ ଜବାହରଲାଲ ୟୁନିଭର୍ସିଟିରୁ ଇକୋନୋମିକ୍ସ ବା ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ଏହାସହ ନିର୍ମଳା ଜେଏନ୍‌ୟୁରେ ଏମ୍‌ଫିଲ୍‌ କରିଛନ୍ତି। ସେ ଡାକ୍ତର ପରାକାଲା ପ୍ରଭାକରଙ୍କୁ ବିବାହ କରିଛନ୍ତି। ଆନ୍ଧ୍ର ପ୍ରଦେଶ ବାସିନ୍ଦା ପ୍ରଭାକରଙ୍କ ସହ ଜେଏନ୍‌ୟୁରେ ପାଠ ପଢିବା ବେଳେ ସୀତାରମଣଙ୍କ ଦେଖା ହୋଇଥିଲା। ପ୍ରଭାକର ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ପିଏଚ୍‌ଡି କରୁଥିବା ବେଳେ ସୀତାରମଣ ସେତେବେଳେ ତାଙ୍କ ସହ ଲଣ୍ଡନରେ ରହୁଥିଲେ। ହିନ୍ଦୁସ୍ତାନ ଟାଇମ୍ସର ଏକ ସୂଚନା ଅନୁଯାୟୀ ସୀତାରାମଣ ସେତେବେଳେ ଲଣ୍ଡନର ଏକ ହୋମ ଡେକୋରରେ ସେଲ୍ସ ଗର୍ଲ ଭାବେ କାମ କରୁଥିଲେ। ଏହାପରେ ସେ ଏକ କମ୍ପାନୀରେ ସିନିୟର ମ୍ୟାନେଜର ଭାବେ କାମ କରିଥିଲେ। ଏହାସହ ସେ ବିବିସି ଓ୍ବାର୍ଲଡ ସର୍ଭିସରେ ବି କାମ କରିଛନ୍ତି। ଏବେ ରାଜନୀତିରେ ବି ସେ ଜଣେ ସଫଳ ରାଜନେତା ଭାବେ ଗଣାଯାଉଛନ୍ତି।

Share