Categories: ଜାତୀୟ

ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତର ସମ୍ବିଧାନ,ମାନଚିତ୍ର ବଦଳିଯିବ କହିଲେ ନିର୍ମଳା ସୀତାରମଣଙ୍କ ସ୍ବାମୀ

ନୂଆଦିଲ୍ଲୀ,୧୦ା୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରାକାଲା ପ୍ରଭାକର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ତେବେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ। ପ୍ରଭାକର ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଏହା ଘଟେ ତେବେ ଆଉ ଏକ ନିର୍ବାଚନ ଆଶା କରନ୍ତୁ ନାହିଁ।

ଅର୍ଥନୀତିଜ୍ଞ ପ୍ରଭାକର ଆହୁରି ମଧ୍ୟ କହିଛନ୍ତି, ଯଦି ମୋଦି କ୍ଷମତାକୁ ଆସନ୍ତି ତେବେ ଦେଶର ସମ୍ବିଧାନ ଏବଂ ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ସେ କହିଛନ୍ତି, ଆପଣ ଭାରତକୁ ଆଉ ଚିହ୍ନିପାରିବେ ନାହିଁ।

ସେ କହିଛନ୍ତି, ୨୦୨୪ ପରେ ଲାଲ୍‌କିଲାରୁ ଏଭଳି ଘୃଣ୍ୟ ମନ୍ତବ୍ୟ ଶୁଣାଯିବ। ସେ କହିଛନ୍ତି, ମୋଦି ନିଜେ ଲାଲ୍‌କିଲାରୁ ଘୃଣ୍ୟ ଭାଷଣ ଦେବେ ଏବଂ ଏହା ନିରବ କିମ୍ବା ଚତୁରତାର ସହ କରାଯିବ ନାହିଁ। ଘୃଣା ଭାଷଣ ଖୋଲାଖୋଲି ହେବ ବୋଲି ସେ କହିଛନ୍ତି।

ପ୍ରଭାକର ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ମଣିପୁର ଏବଂ ଲଦାଖରେ ଯାହା ଘଟୁଛି ତାହା ସମଗ୍ର ଦେଶରେ ଘଟିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ତୀବ୍ର ସମାଲୋଚକ। ମାର୍ଚ୍ଚରେ ପ୍ରଭାକର କହିଛନ୍ତି, ନିର୍ବାଚନୀ ବଣ୍ଡ ସ୍କାମ୍‌ କେବଳ ଭାରତର ସବୁଠୁ ବଡ଼ ସ୍କାମ ନୁହେଁ ବରଂ ଦୁନିଆର ସବୁଠୁ ବଡ଼ ସ୍କାମ। ନିର୍ବାଚନୀ  ବଣ୍ଡ  ଦୁର୍ନୀତି ସାର୍ବଜନୀନ ହେବା ପରେ ବର୍ତ୍ତମାନ ସଂଗ୍ରାମ ଦୁଇଟି ମିଳିତ ମଞ୍ଚ ମଧ୍ୟରେ ନୁହେଁ ବରଂ ଭାଜପା ଏବଂ ଭାରତ ଲୋକଙ୍କ ମଧ୍ୟରେ ଚାଲିଛି ବୋଲି ସେ କହିଛନ୍ତି।

Share