Categories: ଜାତୀୟ

ଲୋକ ସଭାରେ ଦରବୃଦ୍ଧି ତାତି

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଲୋକ ସଭାରେ ସୋମବାର ଆଲୋଚନା ବେଳେ ପ୍ରବଳ ହଟ୍ଟଗୋଳ ହୋଇଛି। ବିତର୍କର ଜବାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦେଶରେ ଆର୍ଥତ୍କ ସ୍ଥିତିର ଏକ ହିସାବ ରଖିବା ସହ ମାନ୍ଦାବସ୍ଥା ଆସିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ। କେତେକ ଖବରକାଗଜରେ ପ୍ରକାଶ ପାଇଥିବା ମାନ୍ଦାବସ୍ଥା ସମ୍ପର୍କିତ ରିପୋର୍ଟକୁ ସେ ଖଣ୍ଡନ କରିଥିଲେ। ବ୍ଲୁମ୍‌ବର୍ଗ ସର୍ଭେ ଅନୁଯାୟୀ ଦେଶରେ ମାନ୍ଦାବସ୍ଥା ଆସିବା ସମ୍ଭାବନା ନାହିଁ। ଅନେକ ଦେଶଠାରୁ ଭାରତର ଅର୍ଥନୀତି ଭଲ ରହିଛି ଏବଂ ଏହା ଦ୍ରୁତ ଅଭିବୃଦ୍ଧି କରୁଛି ବୋଲି ସୀତାରାମନ କହିଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ ଦର୍ଶାଇ ଆଲୋଚନା ଅଧାରୁ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବଢ଼ିଚାଲିଥିବାବେଳେ ଏହା ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନ ଆରମ୍ଭରୁ ଜୋର୍‌ଦାର ଦାବି କରିଆସୁଥିଲେ। ଏହାକୁ ନେଇ ୧୦ଦିନ ଧରି ଗୃହରେ ହଟ୍ଟଗୋଳ ଓ ଅଚଳାବସ୍ଥା ଲାଗି ରହିଥିବାବେଳେ ସୋମବାର ଏହା ଉପରେ ଆଲୋଚନା ପାଇଁ ସରକାର ରାଜି ହୋଇଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି, କୋଭିଡ୍‌ ମହାମାରୀ ଓ ଏହାର ଦ୍ୱିତୀୟ ଲହର, ଓମିକ୍ରନ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସତ୍ତ୍ୱେ ମୁଦ୍ରାସ୍ଫୀତି ୭ ପ୍ରତିଶତରୁ କମ୍‌ ରହିଛି, ଯାହାକୁ ସ୍ବୀକାର କରିବାକୁ ପଡ଼ିବ। ୨୦୦୪ରୁ ୨୦୧୪ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ମୁଦ୍ରାସ୍ଫୀତି ଦୁଇଅଙ୍କରେ ପହଞ୍ଚତ୍ଥିଲା। କ୍ରମାଗତ ୨୨ ମାସ ଧରି ମୁଦ୍ରାସ୍ଫୀତି ୯ ପ୍ରତିଶତରୁ ଅଧିକ ରହିଥିଲା।
ଦରବୃଦ୍ଧି ଆଲୋଚନାରେ ବିଭିନ୍ନ ଦଳର ପ୍ରାୟ ୩୦ ଜଣ ଏମ୍‌ପି ଭାଗ ନେଇଥିଲେ। ବିଜେଡି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ଭଳି ସମଭାବାପନ୍ନ ଦଳଗୁଡ଼ିକ ମୁଦ୍ରାସ୍ଫୀତି ରୋକିବାରେ ସରକାରଙ୍କ ହସ୍ତକ୍ଷେପ ଲାଗି ଦାବି କରିଥିଲେ। କଂଗ୍ରେସ ଏମ୍‌ପି ମନୀଷ ତିଓ୍ବାରୀ ଆଲୋଚନା ଆରମ୍ଭ କରି ବିମୁଦ୍ରୀକରଣ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ନୀତି ଓ ଭାଜପା ନେତୃତ୍ୱାଧୀନ ସରକାରଙ୍କ ଆର୍ଥତ୍କ ପରିଚାଳନାରେ ବିଫଳତା ଯୋଗୁ ଦରଦାମ୍‌ ବଢ଼ୁଥିବା ସେ କହିଥିଲେ। ଜିଏସ୍‌ଟି ବଢ଼ାଇ ସରକାର ତାଙ୍କ ବଜେଟକୁ ବଢ଼ାଇ ଚାଲିଥିବାବେଳେ ଜନସାଧାରଣଙ୍କ ବଜେଟ ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ତିଓ୍ବାରୀ କହିଥିଲେ। ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ପିନାକୀ ମିଶ୍ର କହିଥିଲେ, ବିମୁଦ୍ରୀକରଣ ପରେ ଦେଶରେ ନଗଦ ଅର୍ଥ ପରିମାଣ ଦୁଇଗୁଣ ହୋଇଛି। ସରକାର ତାଙ୍କ ଆର୍ଥିକ ନୀତିର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ। କଂଗ୍ରେସ ସରକାର ସମୟରେ କିଣାଯାଇଥିବା ଇନ୍ଧନ ବଣ୍ଡ୍‌ ପାଇଁ ତେଲ ଦର ବଢ଼ୁଛି ବୋଲି କେନ୍ଦ୍ର କହିଥିବାବେଳେ ପିନାକୀ ଏହାକୁ ଖଣ୍ଡନ କରି ସରକାର ତେଲରୁ ୨୭.୨୭ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରୁଥିବା କହିଥିଲେ।

Share