ପାକିସ୍ତାନର ପ୍ରଥମ କିନ୍ନର ହେଲେ ଓକିଲ: କେବେ ଭିକ ମାଗିବାକୁ ହୋଇଥିଲେ ବାଧ୍ୟ

ଇସ୍‌ଲାମାବାଦ,୨୮।୧୧: ପାକିସ୍ତାନର ନିଶା ରାଓ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ କିନ୍ନର ଯିଏ ଓକିଲ ହୋଇଛନ୍ତି। ଦିନ ଥିଲା କେବେ ସେ ରାସ୍ତାରେ ଭିକ ମାଗୁଥିଲେ। ହେଲେ ଏବେ ସେ ସମାଜର ଜଣେ ପ୍ରତିଷ୍ଠିତ ଓକିଲ। ନିଶା ଏବେ ସାରା ବିଶ୍ୱର କିନ୍ନରଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି।

କରାଚି ବାର ଆସୋସିଏଶନରୁ ସେ ଲାଇସେନ୍ସ ପ୍ରାପ୍ତ କରିଥିବା ବେଳେ ଏପର୍ଯ୍ୟନ୍ତ ସେ ୫୦ରୁ ଊର୍ଦ୍ଧ୍ୱ କେସ୍‌ ଲଢ଼ିସାରିଛନ୍ତି। ନିଶା ସଂଘର୍ଷ କରି ରାସ୍ତାକଡ଼ରୁ କୋର୍ଟ ପର୍ଯ୍ୟନ୍ତର ଯାତ୍ରା ନିଜେ ତିଆରି କରିଛନ୍ତି। ସୂଚନାଯୋଗ୍ୟ, ନିଶା ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ ୧୮ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା। ଘର ଛାଡ଼ିବା ପରେ ସେ କରାଚିରେ ପହଞ୍ଚିଥିଲେ। ଦୀର୍ଘ ଦିନ ଧରି ଅନ୍ୟ କିନ୍ନରଙ୍କ ଭଳି ସେ ମଧ୍ୟ ରାସ୍ତାରେ ଭିକ ମାଗି ଜୀବନ ବିତାଉଥିଲେ।

 

କିନ୍ତୁ ଜୀବନରେ କିଛି କରିବାର ଇଛା ତାଙ୍କୁ ଲ’ କଲେଜରେ ଆଡମିଶନ କରିବାରେ ସାହାଯ୍ୟ କରିଥିଲା। ଏହାପରେ ସେ ପାଠପଢ଼ା ଆରମ୍ଭ କରିଥିଲେ। ବର୍ତ୍ତମାନ ନିଶା ଏକ ବେସରକାରୀ ସଂଗଠନ ସହିତ ଜଡ଼ିତ ଅଛନ୍ତି। ଯିଏ କିନ୍ନରଙ୍କ ପାଇଁ କାମ କରିବା ସହ ସମାଜରେ ସେମାନଙ୍କୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢ଼ିବାକୁ ଉଦ୍ୟମ କରୁଛନ୍ତି।

Share