Categories: ଖେଳ

ପାରାଲିମ୍ପିକ୍ସ: ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଲେ ନୀତେଶ କୁମାର

ପ୍ୟାରିସ,୨।୯: ପାରାଲିମ୍ପିକ୍ସ ୨୦୨୪ରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍‌ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ ହୋଇଛନ୍ତି। ମୋଟ ଉପରେ ୨୦୨୪ ପାରାଲିମ୍ପିକ ଗେମ୍ସରେ ଏହା ହେଉଛି ଭାରତର ନବମ ପଦକ।

ନୀତେଶ ପ୍ରଥମ ଥର ପାଇଁ ପାରାଲିମ୍ପିକ ଗେମ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମ ପ୍ରୟାସରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ତୃତୀୟ ଭାରତୀୟ ଆଥଲେଟ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ପ୍ରମୋଦ ଭଗତ ଏବଂ କୃଷ୍ଣ ନାଗର ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିଲେ।

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ ୯ ପଦକ ଜିତିଛି। ସାମ୍ପ୍ରତିକ ଗେମ୍ସରେ ନୀତେଶ କୁମାର ବ୍ୟାଡମିଣ୍ଟନରେ ପଦକ ଜିତିଥିବା ପ୍ରଥମ ଆଥଲେଟ ହୋଇଛନ୍ତି। ଶୁଟିଂରେ ଏପର୍ଯ୍ୟନ୍ତ ୪ଟି ପଦକ ଆସିଛି।

Share