ଗୁଳି ଫୁଟିଲାନି-ସୈନ୍ୟ ବି ପ୍ରବେଶ କଲେ ନି, ୟୁକ୍ରେନ୍‌ରେ ହେଲା ଆକ୍ରମଣ…

ମସ୍କୋ/କାଇଭ୍‌,୧୬।୨ : ଫେବୃଆରୀ ୧୬ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ନେଇ ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଗୁଳି ଫୁଟିଲାନି କି ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ପ୍ରବେଶ ମଧ୍ୟ କଲେ ନାହିଁ। କିନ୍ତୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କଲା। ୟୁକ୍ରେନ୍‌ରେ ସାଇବର ଆକ୍ରମଣ ହୋଇଛି। ଏହା ପଛରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ହାତ ରହିଛି ବୋଲି ଜଣାପଡିଛି।

ୟୁକ୍ରେନର ବିଭିନ୍ନ ସରକାରୀ ଏଜେନ୍ସି ଏବଂ ବଡ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ହେବାର ଖବର ମିଳିଛି। ଏହି ଆକ୍ରମଣ ଯୋଗୁ ୧୦ରୁ ଅଧିକ ୱେବସାଇଟ କାମ କରିବା ବନ୍ଦ କରିଦେଇଛି। ଏହା ପଛରେ ରୁଷିଆର ପ୍ରଚ୍ଛନ୍ନ ହାତ ରହିଥାଇପାରେ ବୋଲି ୟୁକ୍ରେନ ପ୍ରଶାସନ କହିଛି। ଯେତେବେଳେ ପୁଟିନ୍‌ ସିଧାସଳଖ ଆକ୍ରମଣ ଯୋଜନା କରିବାରେ ସଫଳ ହୋଇନାହାଁନ୍ତି, ସେ ହୁଏତ ଏଭଳି କାମ ଆରମ୍ଭ କରିଥିବେ ବୋଲି ୟୁକ୍ରେନ୍‌ କହିଛି।

ୟୁକ୍ରେନ ସରକାରଙ୍କ ଅନୁଯାୟୀ, ସେଠାରେ ଡିଡିଓଏସ୍‌ ସାଇବର ଆକ୍ରମଣ ହୋଇଛି। ଏହି କାରଣରୁ, କେତେକ ୱେବସାଇଟ ଅଚଳ ହୋଇ ପଡ଼ିଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ବୃହତ ବ୍ୟାଙ୍କଗୁଡ଼ିକର ୱେବସାଇଟ ଅନ୍ତର୍ଭୁକ୍ତ।

ୟୁକ୍ରେନର ସବୁଠୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ କେତେକ ଘରୋଇ ବ୍ୟାଙ୍କଗୁଡିକର ଆପ ମଧ୍ୟ କାମ କରୁନାହିଁ। ଫଳରେ ଅନଲାଇନ ପେମେଣ୍ଟ ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ। ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସାଇବର ଆଟାକ୍‌ ହୋଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତେବେ ବ୍ୟାଙ୍କରେ ଗ୍ରାହକଙ୍କର ଜମାର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି।

ଜାନୁଆରୀରେ ମଧ୍ୟ ୟୁକ୍ରେନ ଉପରେ ସାଇବର ଆକ୍ରମଣ ହୋଇଥିଲା। ଫଳରେ ୭୦ ୱେବସାଇଟ କାମ ବନ୍ଦ କରି ଦେଇଦେଲା। ୨୦୧୭ରେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ସାଇବର ଆକ୍ରମଣ କରିଥିଲା। ସେତେବେଳେ ନୋଟପେଟିଆ ନାମକ ଏକ ଭାଇରସ୍‌ ମାଧ୍ୟମରେ ସାରା ବିଶ୍ୱର ୧୦ ବିଲିୟନ ଡଲାରର କ୍ଷତି ଘଟିଥିଲା।

Share