Categories: ଖେଳ

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଲେ ନୀତୀନ

ନୂଆଦିଲ୍ଲୀ, ୨୯।୬- ଭାରତର ନୀତୀନ ମେନନ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ନୀତୀନଙ୍କୁ ଆସନ୍ତା ୨୦୨୦-୨୧ ସିଜନ ପାଇଁ ମନୋନୀତ କରିଛନ୍ତି। ଇଂଲଣ୍ଡର ନାଇଜଲ ଲଙ୍ଗ୍‌ଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି। ଏଥିସହ ତୃତୀୟ ଭାରତୀୟ ଭାବେ ନୀତୀନ ଆଇସିସିର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିପୂର୍ବରୁ ଭାରତର ଶ୍ରୀନିବାସ ଭେଙ୍କଟରାଘବନ ଓ ସୁନ୍ଦରରାମ ରବି ଆଇସିସି ଏଲିଟ୍‌ ପ୍ୟାନେଲ ଅମ୍ପାୟର ତାଲିକାରେ ସ୍ଥାନ ପାଇଥିଲେ। ଭାରତର ପୂର୍ବତନ ଅମ୍ପାୟର ନରେନ୍ଦ୍ର ମେନନଙ୍କ ପୁଅ ହେଉଛନ୍ତି ନୀତୀନ। ୩୬ ବର୍ଷୀୟ ନୀତୀନ ଅମ୍ପାୟରିଂକୁ କ୍ୟାରିୟର କରିବା ପାଇଁ ପ୍ରଫେଶନାଲ କ୍ରିକେଟ୍‌କୁ ଅଲ୍‌ବିଦା ଛାଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୩ଟି ଟେଷ୍ଟ, ୨୪ ଦିନିକିଆ ଓ ୧୬ ଟି୨୦ ମ୍ୟାଚ୍‌ରେ ଅଫିସିଆଲ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ‘ମୋ ବାପା ଜଣେ ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର। ସେ ମୋତେ ବିସିସିଆଇ ପକ୍ଷରୁ ହେଉଥିବା ଅମ୍ପାୟରିଂ ପରୀକ୍ଷା ଦେବା ପାଇଁ ୨୦୦୬ରେ ଉତ୍ସାହିତ କରିଥିଲେ। ତାଙ୍କ ପ୍ରେରଣା ପାଇ ମୁଁ ଆଜି ଏତେ ବାଟ ଆସିପାରିଛି’ ବୋଲି ନୀତୀନ କହିଛନ୍ତି।