Categories: ଜାତୀୟ

‘ଇଣ୍ଡିଆ’ରେ ପୁଣି ଆକ୍ଟିଭ ହେଲେ ନୀତୀଶ

ନୂଆଦିଲ୍ଲୀ,୫।୧: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ବିରୋଧୀ ଦଳ ଇଣ୍ଡି ମେଣ୍ଟ ସମ୍ମୁଖରେ ସିଟ ଶେୟାରିଂ, ସଂଯୋଜକ ଏବଂ ପାରସ୍ପରିକ ବିବାଦର ସମାଧାନ କିପରି ହେବ ସେନେଇ ଅନେକ ପ୍ରଶ୍ନ ଉଠିଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ପୁଣି ଥରେ ଏହି ମେଣ୍ଟରେ ସକ୍ରିୟ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଛନ୍ତି। ନୀତୀଶ କୁମାର ଅନ୍ୟ ଆଞ୍ଚଳିକ ନେତାଙ୍କ ସହ ଫୋନରେ ମଧ୍ୟ କଥା ହୋଇଛନ୍ତି।

ନୀତୀଶ କୁମାର ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ସେହି ସମୟରେ କଥା ହୋଇଛନ୍ତି ଯେଉଁ ସମୟରେ ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ମେଣ୍ଟ ସମିତି ଅନ୍ୟ ଦଳ ସହ ମେଣ୍ଟ ସମ୍ପର୍କରେ ରିପୋର୍ଟ ଦାଖଲ କରିଛି। ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ମିଳିତ ମଞ୍ଚ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ସେପଟେ ବିହାର କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂ କହିଛନ୍ତି ଯେ ତାଙ୍କ ଦଳ ବିହାରର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୯ରୁ ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛି। ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଗତଥର ଆମେ ୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୧ରେ ଜିତିଥିଲୁ। ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି୧୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏପରିକି ୧ ଟି ବି ଜିତି ନଥିଲେ। ଏଭଳି ପରିସ୍ଥିତିରେ ଏହାର ଅର୍ଥ ନୁହେଁ ଯେ ତାଙ୍କର ସମର୍ଥନ ନାହିଁ।

Share