Categories: ଜାତୀୟ

ନୀତୀଶ ଜଣେ ଇଞ୍ଜିୟର, ତେବେ ବି କିଭଳି ଗୋଟିଏ ପୋଲ ଦୁଇଥର ଭୁଶୁଡ଼ିଲା: ମୁଖ୍ୟମନ୍ତ୍ରୀଙ୍କୁ ଚିରାଗ ପାସଓ୍ବାନଙ୍କ ପ୍ରଶ୍ନ …

ପାଟନା,୭।୬ : ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ନିର୍ମିତ ଅଗୁୱାନି-ସୁଲତାନଗଞ୍ଜ ବ୍ରିଜ ଭୁଶୁଡ଼ିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ଜମୁଇର ଲୋକସଭା ଏମପି ତଥା ଏଲଜେପି ରାମ ବିଲାସ ମୁଖ୍ୟ ଚିରାଗ ପାସୱାନ ବର୍ତ୍ତମାନ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରିଛନ୍ତି। ଚିରାଗ ପ୍ରଶ୍ନ ଉଠାଇଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ ନିଜେ ଜଣେ ଇଞ୍ଜିନିୟର, ତଥାପି ତାଙ୍କର ସ୍ବପ୍ନର ପୋଲ ନିର୍ମାଣ ସମୟରେ କିଭଳି ଦୁଇଦୁଇ ଥର ଭୁଶୁଡ଼ିଲା ? ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା କାହିଁକି?

ଖବର ଅନୁଯାୟୀ, ବ୍ରିଜ ଦୁର୍ଘଟଣା ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଚିରାଗ ପାସୱାନ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ପୋଲ ଭୁଶୁଡ଼ିବା ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାରେ ଦୁର୍ନୀତି ହେଉଥିବାର ଏକ ଦୃଢ଼ ପ୍ରମାଣ। ମୁଖ୍ୟମନ୍ତ୍ରୀ ନୀତୀଶ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି। ସେ ଦେଶ ଭ୍ରମଣରେ ବ୍ୟସ୍ତ। ନିଜ ରାଜ୍ୟବାସୀଙ୍କ ସମସ୍ୟା ଦେଖିବାକୁ ତାଙ୍କ ପାଖରେ ସମୟ ନାହିଁ ।

ନୀତୀଶ କହୁଛନ୍ତି ବିହାର ଦେଖିଛି, ଏବେ ଦେଶ ଦେଖିବ। ସେ ଦେଶକୁ କ’ଣ ଦେଖାଇବେ? ବର୍ତ୍ତମାନ ବିହାରରେ ଏହି ପୋଲ ଭୁଶୁଡି ପଡିଛି, ଏବେ ସେମାନେ ସାରା ଦେଶରେ କ’ଣ ପୋଲ ଭାଙ୍ଗିବେ। ଭାଗଲପୁର ପୋଲ ଭୁଶୁଡ଼ିବା ଉପରେ ପ୍ରଶ୍ନ ଉଠାଇ ପାସୱାନ କହିଛନ୍ତି ପୋଲଟି ପ୍ରଥମେ ଭୁଶୁଡ଼ିବା ବେଳେ ନିର୍ମାଣକାରୀ କମ୍ପାନୀ କାହିଁକି କଳା ତାଲିକାଭୁକ୍ତ ହୋଇନାହିଁ? ମୁଖ୍ୟମନ୍ତ୍ରୀ ନୀତୀଶ କମ୍ପାନୀକୁ ବଞ୍ଚାଇବାରେ କାହିଁକି ନିୟୋଜିତ? ସେ କହିଛନ୍ତି ଯଦି ପ୍ରଥମ ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ ଏଭଳି ଦିନ ଦେଖିବାକୁ ପଡ଼ି ନ ଥାନ୍ତା।

Share