Categories: ଜାତୀୟ

ନୀତୀଶ ଆମର, ସେ ପୁଣି ଏନଡିଏକୁ ଫେରିବେ: ରାମଦାସ ଅଠାଓ୍ବଲେ…

ପାଟନା,୨୯।୭ : କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାଓ୍ବଲେ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନୀତୀଶ କୁମାର ଆମର। ସେ ଯେ କୌଣସି ସମୟରେ ଆମ ପାଖକୁ ପୁଣି ଫେରିବେ। ସେ ବିହାରର ମୁଙ୍ଗର ଗସ୍ତରେ ଯାଇଛନ୍ତି। ଯେତେବେଳେ ତାଙ୍କୁ ନୀତୀଶ କୁମାରଙ୍କୁ ଭେଟିବେ କି ନାହିଁ ବୋଲି ପଚରାଯାଇଥିଲା ସେ କହିଥିଲେ ଏଥର ତାଙ୍କୁ ଭେଟି ପାରିବି ନାହିଁ। ଏହା ପୂର୍ବରୁ ଭାଜପା ବହୁଥର କହିଛି କୌଣସି ପରିସ୍ଥିତିରେ ଆଉ ନୀତୀଶ କୁମାରଙ୍କୁ ଏନଡିଏରେ ନିଆଯିବ ନାହିଁ। ମାତ୍ର କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ମହଲରେ ଏବେ ନୂଆ କଳ୍ପନା ଜଳ୍ପନା ସୃଷ୍ଟି କରିଛି।

ଆମେ ନୀତୀଶ ଅନୁପସ୍ଥିତି ଅନୁଭବ କରୁଛୁ। ସେ ବିରୋଧୀଙ୍କ ମୁମ୍ବାଇ ବୈଠକଠାରୁ ଦୂରେଇ ରହିବା ଉଚିତ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରେଳ ମନ୍ତ୍ରୀ ହେବା ପରଠାରୁ ଆମେ ଏକାଠି ରହିଛୁ। ଆମେ ଏବେ ମଧ୍ୟ ତାଙ୍କୁ ସମ୍ମାନ କରୁ। ବିହାରର ଲୋକମାନେ ଆମର ଲୋକ। ନୀତୀଶ ଆମ ସମସ୍ତଙ୍କର ଜଣେ ବନ୍ଧୁ। ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାବେଳେ ତାଙ୍କ ଦଳର ବିଧାନସଭାରେ ମାତ୍ର ୪୪ ଟି ଆସନ ଥିଲା। ଆମେ କିନ୍ତୁ ତାଙ୍କୁ ଗୁରୁତ୍ୱପ୍ରଦାନ କରିଥିଲୁ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ବିହାରରେ ଅନ୍ୟ ରାଜ୍ୟ ତୁଳନାରେ ଏସସି / ଏସଟି ସମ୍ପ୍ରଦାୟ ଉପରେ ଅତ୍ୟାଚାର ମାମଲା ଅଧିକ ରହିଛି। ମୁଁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରୁଛି।

ଏଥି ସହିତ ବିରୋଧୀ ଦଳ ଉପରେ ସେ କହିଛନ୍ତି ଗଠିତ ଏହି ମିଳିତ ମେଣ୍ଟର ନାମ ଇଣ୍ଡିଆ ରହିଛି। ଏକ ସମୟ ଥିଲା ଯେତେବେଳେ ଇଣ୍ଡିଆ ଇଜ ଇନ୍ଦିରା କୁହାଯାଉଥିଲା । ମାତ୍ର ଏବେ ସମୟ ବଦଳି ଯାଇଛି। ଆମର ସହଯୋଗୀଙ୍କ ଦଳ ହେଉଛି ଏନଡିଏ। ବିରୋଧୀ ଦଳ ଆମ ବିରୁଦ୍ଧରେ ଏକଜୁଟ ହେଉଛନ୍ତି। ଏହା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଲୋକପ୍ରିୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ବରରେ ଅଛନ୍ତି ବୋଲି ସେ କହିଛନ୍ତି।

Share