Advertisement
Categories: ଜାତୀୟ

ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜର ଆଙ୍ଗୁଳି କାଟିଲେ ପ୍ରଶଂସକ

ଜେହାନାବାଦ,୨୪।୧୧: ନିକଟରେ ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନିଜର ଖୁସି ଜାହିର କରୁଛନ୍ତି। କିଏ ପୂଜାର୍ଚ୍ଚନା କରୁଛି ତ ଆଉ କିଏ ମିଠା ବଣ୍ଟନ କରି ଉତ୍ସବ ମନାଉଛି। ସେହିପରି ଅଭିନେତା ହେଉ କି ନେତା, ସମସ୍ତଙ୍କର କେହି ନା କେହି ପ୍ରଶଂସକ ଥାନ୍ତି। ଆଉ ନିଜର ଆଦର୍ଶଙ୍କ ପାଇଁ କିଛି ବି କରିବାକୁ ସେମାନେ ପଛଘୁଞ୍ଚା ଦେଇ ନ ଥାନ୍ତି। କିଛି ଏଭଳି ଦେଖିବାକୁ ମିଳିଛି ବିହାର ଜେହାନାବାଦ ଜିଲାରେ। ବିହାରରେ ନୀତୀଶ କୁମାର ସରକାର ଗଠନ କରିବା ଖୁସିରେ ତାଙ୍କର ଜଣେ ପ୍ରଶଂସକ ନିଜର ଆଙ୍ଗୁଳି କାଟି ଦେଇଥିବା ଶୁଣିବାକୁ ମିଳିଛି। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ବରଂ ନିଜର ୪ଟି ଅଙ୍ଗୁଳି କାଟି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ଜେହାନାବାଦ ଜିଲାର ଘୋଷି ଥାନା ଅନ୍ତର୍ଗତ ବେନା ଗଁାରେ ରହୁଥିବା ୪୫ବର୍ଷୀୟ ଅନୀଲ ଶର୍ମା ନୀତୀଶ କୁମାରଙ୍କ ଜଣେ ବଡ଼ ପ୍ରଶଂସକ। ପୂର୍ବରୁ ନୀତିଶ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଅନୀଲ ତାଙ୍କ ପାଇଁ ନିଜର ଆଙ୍ଗୁଳି କାଟି ଖୁସି ଜାହିର କରିଥିଲେ। ତେବେ ଚଳିତ ବର୍ଷ ନଭେମ୍ବର ୧୬ରେ ନୀତୀଶ କୁମାର କ୍ରମାଗତ ଚତୁର୍ଥଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଚତୁର୍ଥଥର ଲାଗି ଶାସନ ଗାଦି ସମ୍ଭାଳି ଥିବାରୁ ଅନୀଲ ନିଜର ଚତୁର୍ଥ ଆଙ୍ଗୁଳି କାଟି ମନ୍ଦିରକୁ ଦାନ କରିଛନ୍ତି। ତେବେ ଅନୀଲଙ୍କ ଏଭଳି କାର୍ଯ୍ୟ ଯୋଗୁ ଏବେ ସେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

 

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share