Categories: ଜାତୀୟ

ବିହାର ବିଧାନସଭା: ବାଚସ୍ପତି ପଦକୁ ନେଇ ଏନ୍‌ଡିଏରେ ଉଠିପାରେ ଝଡ଼

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ନୀତୀଶ କୁମାର ବସିବା ନେଇ ଏକ ପ୍ରକାର ସ୍ଥିର ହୋଇ ଯାଇଛି କହିଲେ ଚଳେ । ଏବେ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ବାଚସ୍ପତି ପଦକୁ ନେଇ ଏଡ଼୍‌ଡିଏରେ ଝଡ଼ ଉଠିପାରେ ବୋଲି ଅନୁମାନ କରାଯାଉଛି । କାରଣ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବହୁମତ ନ ମିଳିଥିଲେ ବି ବଡ ଦଳ ଭାବେ ସେ ଉଭା ହୋଇଛି । ଏପଟେ ଏନ୍‌ଡିଏରେ ଜେଡିୟୁର ଭୂମିକା ବି ରହିଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜେଡିୟୁରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯାଇଥିବା ବେଳେ ବାଚସ୍ପତି ପଦ ପାଇଁ ଉଭୟ ଦଳର ନଜର ରହିବ ବୋଲି କୁହାଯାଉଛି । କାରଣ ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ ଚୌଧୁରୀ ଜେଡିୟୁ ଟିକେଟରୁ ଜିତିଛନ୍ତି । ଏହାସହ ସେ ନୀତୀଶଙ୍କ ପାଖ ଲୋକ ବୋଲି କୁହାଯାଉଛି । ୨୦୧୫ରେ ଜେଡିୟୁ ମହାମେଣ୍ଟ ସହ ମିଶି ମାତ୍ର ୧୦ ଆସନରେ ବିଜୟି ହୋଇଥିଲେ ବି ବାଚସ୍ପତି ପଦ ଛାଡି ନ ଥିଲା । ଯେତେବେଳେ କି ଲାଲୁ ପ୍ରସାଦ ଯାଦବ ଆର୍‌ଜେଡିର କୌଣସି ନେତାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁଥିଲେ । ବିହାରରେ ଏଥର ବି ନିର୍ବାଚନ ଫଳାଫଳ ଏମିତି ଆସିଛି ଯେ କୌଣସି ଦିଳ ନିକଟରେ ବହୁମତ ନାହିଁ । ଏନ୍‌ଡିଏ ୧୨୫, ମହାମେଣ୍ଟ ୧୧୦ ଓ ଅନ୍ୟ ୮ ଆସନରେ ବିଜୟୀ ହୋଇଛନ୍ତି । ଆର୍‌ଜେଡି ସବୁଠାରୁ ବଡ ଦଳ ହୋଇଥିବା ବେଳେ ଭାଜପା ଦ୍ୱିତୀୟ ନମ୍ବରରେ ରହିଛି । ଏନ୍‌ଡିଏ ବହୁମତ ପାଇବାକୁ ହେଲେ ଜିତନରାମ ମାଂଝିଙ୍କ ଏଚ୍‌ଏଏମ୍ର ୪ ଓ ଭିଆଇପିର ୪ ଜଣଙ୍କୁ ସାଙ୍ଗରେ ନେବାକୁ ପଡିବ । ଅନ୍ୟପଟେ ନୀତୀଶଙ୍କ ପାଇଁ ବି ଏଥର ସବୁକିଛି ସରଳ ହେବ ନାହିଁ ବୋଲି କୁହାଯାଉଛି । ଯଦିଓ ସେ ଭାଜପା ସହ ମିଶି ସରକାର ଚଳାଉଛନ୍ତି ହେଲେ ଏଥର ଆଉ ୪ ସହଯୋଗୀ ଦଳ ରହିଛନ୍ତି । ଏହାସହ ଭାଜପା ଏଥର ଜେଡିୟୁଠାରୁ ଅଧିକ ଆସନରେ ବିଜୟୀ ହୋଇଛି । ପୁଣି ଛୋଟ ଦଳ ଗୁଡିକ ଯଦି ଏପଟ ସେପଟ ହୋଇ ଯାଆନ୍ତି ତେବେ ସବୁଚିତ୍ର ବଦଳିଯାଇପାରେ । ଏଭଳି ସ୍ଥିତିରେ ବିଧାନସଭା ବାଚସ୍ପତି ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କୁହାଯାଉଛି ଏଥର ଯେଉଁ ଦଳର ନେତା ବାଚସ୍ପତି ହେବେ ତା’ର ଓଜନ ବେଶି ରହିବ । ଏହା ପୂର୍ବରୁ କର୍ନାଟକ ଓ ମଧ୍ୟପ୍ରଦେଶରେ ଅପରେଶନ ଲୋଟସ୍ ସମୟରେ ବାଚସ୍ପତିଙ୍କ ସାମ୍ବିଧାନିକ ଶକ୍ତି ସାରା ଦେଶ ଦେଖି ସାରିଛି । ଭାଜପା ବାରମ୍ବାର କହୁଛି ନୀତୀଶ ହେବେ ଏଥର ବିହାରର ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭା ଅଧ୍ୟକ୍ଷ ପଦ କାହା ନିକଟକୁ ଯିବ ତାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା ।

Share