କଥା ରଖିଲେ ନୀତୀଶ

ପାଟନା,୧ ।୩: ବିହାର ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟବାସୀଙ୍କୁ କଥା ଦେଇଥିଲେ ଯେ କରୋନା ଟିକା ମାଗଣାରେ ଦେବେ । ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ବିହାର ସରକାର ସ୍ଥିର କରିଛନ୍ତି ଯେ ମାର୍ଚ୍ଚ ୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣରେ କେବଳ ସରକାରୀ ନୁହେଁ ବେସରକାରୀ ହସ୍ପିଟାଲରେ ବି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇବେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାରଠାରୁ ଆରମ୍ଭ ହେଉଥିବା ଟିକାକରଣରେ କେବଳ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ଜଟିଳ ରୋଗରେ ପୀଡିତ ୪୫ ବର୍ଷର ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । କେନ୍ଦ୍ର ସରକାର ପ୍ରତି ଡୋଜ୍‌ର ଦାମ ୨୫୦ ଟଙ୍କା ରଖିଛନ୍ତି । ହେଲେ ବିହାରବାସୀଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) କହିଥିଲା ଯଦି ସେ ଶାସନ କ୍ଷମତାକୁ ଆସିବ ତେବେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଯାହା ଆଜି ପୂରଣ କରିବାକୁ ଯାଉଛନ୍ତି ନୀତୀଶ କୁମାର ।

Share