Categories: ଜାତୀୟ

ଅପରାଧୀ ମଞ୍ଜୁ ବର୍ମାଙ୍କୁ ଜେଡିୟୁ ଟିକେଟ

ପାଟନ,୮ ।୧୦: ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖର ଠିକ୍ ଗୋଟିଏ ଦିନ ପୂର୍ବରୁ ବହୁ ଟଣାଭିଡା ପରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବୁଧବାର ତା’ର ସମସ୍ତ ୧୧୫ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଏମିତି ଏକ ନାମ ରହିଛି ଯାହା ସମସ୍ତଙ୍କୁ ଚକିତ କରିଛି । ନୀତୀଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା ମଞ୍ଜୁ ବର୍ମା । ତାଙ୍କୁ ଚୌରିଆ ବରିୟାରପୁର ବିଧାନସଭା ଆସନରୁ ପ୍ରାର୍ଥି କରାଯାଇଛି । ସୂଚନାଯୋଗ୍ୟ, ମଞ୍ଜୁ ବର୍ମା ୨୦୧୮ ମସିହାରେ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁଜାଫରପୁର ବାଳିକାଗୃହ ବା ସେଲଟର ହୋମ୍ ଘଟଣାର ଜଣେ ଅଭିଯୁକ୍ତ ଯାହାଙ୍କୁ ଦଳ ପୂର୍ବରୁ ବାହାର କରିଦେଇଥିଲା । ମଞ୍ଜୁ ସେତେବେଳେ ନୀତୀସ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ଥିଲେ । ବିରୋଧିଙ୍କ ପ୍ର୍‌ତିବାଦ ପରେ ମଞ୍ଜୁ ସେତେବେଳେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ, ମୁଜାଫରପୁର ସେଲ୍‌ଟର ହୋମ୍‌ରେ ପ୍ରାୟ ୩୪ ଜଣ ବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ଏହି ମାମଲାରେ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ମଞ୍ଜୁଙ୍କ ଘରେ ଚଢାଉ କରାଯାଇ ବେଆଇନ ଭାବେ ଥିବା କିଛି ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରାଯିବା ସହ ମଞ୍ଜୁ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଥିଲା । ପରେ ଅବଶ୍ୟ ଏମାନେ ଜାମିନରେ ମୁକୁଳି ଆସିଥିଲେ । ହେଲେ ଆପରାଧିକ ମାମଲାରେ ଜଡିତ ଥିବା ମଞ୍ଜୁଙ୍କୁ କିପରି ଟିକେଟ ମିଳିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Share