ନୂଆଦିଲ୍ଲୀ,୮।୯: ଭାଜପା ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ସେ ଭେଟିବାରେ ଲାଗିଛନ୍ତି। ଏଥିସହ ସେ ସବୁ ବିରୋଧୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକାଠି କରିପାରିବେ ବୋଲି ଆଶା ମଧ୍ୟ ରଖିଛନ୍ତି।
ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ନୀତୀଶ କୁମାରଙ୍କୁ ଖବରଦାତା ମାନେ ଏକାଧିକ ପ୍ରଶ୍ନ କରିଥିଲେ। ଏହି ସମୟରେ ତାଙ୍କୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଉପରେ ଏକ ପ୍ରଶ୍ନ ହେବାରୁ ସେ ରାଗିଯାଇଥିଲେ। ନିକଟରେ ପ୍ରଶାନ୍ତ କିଶୋର କହିଛନ୍ତି, ବିହାରରେ ଯାହା ଘଟିଛି ତାହା ଜାତୀୟ ରାଜନୀତିରେ ଅଧିକ ପ୍ରଭାବ ପକାଇବ ନାହିଁ। ଏହାର ଜବାବରେ ନୀତୀଶ କହିଛନ୍ତି,ପ୍ରଶାନ୍ତ କିଶୋରଙ୍କ କଥାବାର୍ତ୍ତାର କିଛି ଅର୍ଥ ନାହିଁ। ସେ ବିହାରର ଏ,ବି,ସି କିଛି ଜାଣନ୍ତି ନାହିଁ। ଯଦି ସେ କିଛି କହୁଛନ୍ତି, ତେବେ ବୁଝନ୍ତୁ ଯେ ତାଙ୍କ ମନ ଭାଜପା ସହିତ ରହିବ, ଏହା ଭାଜପାକୁ ସାହାଯ୍ୟ କରିବ। ସେ ଲୋକ ମୋ ସହ ପ୍ରଥମେ ଥିଲେ। ସାରା ଦେଶରେ ଅନେକ ପାର୍ଟି ପାଇଁ ସେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହା ଏକ ବ୍ୟବସାୟ। ସେ ବିହାରରେ ଯାହା କରିବାକୁ ଚାହାଁନ୍ତି, ସେ କରନ୍ତୁ। ତାଙ୍କର ମନ୍ତବ୍ୟର କୌଣସି ଅର୍ଥ ନାହିଁ।
ସୂଚନାଯୋଗ୍ୟ, ନୀତୀଶ କୁମାର ଗତ ମାସରେ ବିହାରରେ ଭାଜପା ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ସରକାର ଗଠନ କରିଥିଲେ। ସେବେଠାରୁ ସେ ବିରୋଧୀ ଏକତା ଉପରେ ଲଗାତର ଗୁରୁତ୍ୱ ଦେଉଛନ୍ତି।