Categories: ଜାତୀୟ

ନୀତୀଶ କୁମାରଙ୍କର କୌଣସି ନିର୍ବାଚନ ଲଢ଼ିବାର ସାହସ ନାହିଁ: ପିକେ…

ପାଟନା,୫।୮ : ଜନ ସୁରାଜ ପଦଯାତ୍ରାର ସଂଯୋଜକ ପ୍ରଶାନ୍ତ କିଶୋର(ପିକେ) ବିହାରର ସାମସ୍ତିପୁରରେ ପଦଯାତ୍ରା ଜାରି ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ଲୋକସଭା ନିର୍ବାଚନରେ ନୀତୀଶ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ସେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ନୀତୀଶ କୁମାର ତାଙ୍କ ଜୀବନରେ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସାହସ କରିପାରିବେ ନାହିଁ। ଯଦି ସେ କୁହନ୍ତି ତେବେ ମୁଁ ଏହାକୁ ଲିଖିତ ଆକାରରେ ଦେଇଦେବି।

ରୋସଡା ଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ପ୍ରଶାନ୍ତ କିଶୋର କହିଛନ୍ତି ମୋର ନିର୍ବାଚନ ବିଷୟରେ ଥିବା ବୁଝାମଣା ଅନୁଯାୟୀ ମତେ ଜଣାଅଛି ନୀତୀଶ କୁମାର ନିର୍ବାଚନ ଲଢ଼ିବାକୁ ସାହସ କରିପାରିବେ ନାହିଁ। ଆପଣମାନେ ଫୁଲପୁର ବିଷୟରେ କହୁଛନ୍ତି କି? ବିହାରରେ ନିର୍ବାଚନ ଲଢ଼ିବା ପାଇଁ ନୀତୀଶ କୁମାରଙ୍କର ସାହସ ନାହିଁ।

ନୀତୀଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି? ଗତ କେଉଁ ନିର୍ବାଚନରେ ନୀତୀଶ ପ୍ରତିଦ୍ୱନ୍ଦ୍ୱିତା କରିଥିବା କେହି ମନେ ରଖିଛନ୍ତି କି? ବହୁ ବର୍ଷ ପୂର୍ବରୁ ନୀତୀଶ କୁମାର ନିର୍ବାଚନ ଲଢ଼ିବା ଛାଡିଛନ୍ତି। ବିହାରରେ, ସେ ସୁରକ୍ଷା ବିନା ଏକ ପଞ୍ଚାୟତ ଅବା ଗାଁ ଚଳାଇ ପାରିବେ ନାହିଁ। ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଆଜି ରାଜ୍ୟରେ ପରିସ୍ଥିତି ଏପରି ହୋଇଛି ଯେତେବେଳେ ନୀତୀଶ କୁମାର ସମାଧାନ ଯାତ୍ରା କରିଥିଲେ, ସେତେବେଳେ ବିହାରର ସମସ୍ତ ପ୍ରଶାସନ କୌଣସି ପ୍ରକାରେ ସମ୍ମାନ ରକ୍ଷା କରିବାରେ ବ୍ୟସ୍ତ ଥିଲେ। ନୀତୀଶ କୁମାରଙ୍କ ଉପରେ ଯେପରି ଚପଲ ନ ଫିଙ୍ଗାଯିବ, କଳା ପତାକା ପ୍ରଦର୍ଶନ ନ ହେବ ସେଥିପ୍ରତି ପ୍ରଶାସନ ସଜାଗ ରହିଥିଲା।

ଏହା ପୂର୍ବରୁ ପ୍ରଶାନ୍ତ କିଶୋର କହିଥିଲେ ବିହାରର ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯେବେଠାରୁ ନୀତୀଶ କୁମାର ସରକାରରେ ଅଛନ୍ତି, ସେବେଠାରୁ ଶାସନ ଡବଲ ଇଞ୍ଜିନର ଭରସାରେ ଚାଲିଛି। ନୀତୀଶ କୁମାରଙ୍କ ଦଳର ଇଞ୍ଜିନ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ସେ ନିଜେ ମଧ୍ୟ ବିଫଳ ହୋଇଛନ୍ତି। ଏପରି ପରିସ୍ଥିତିରେ, ଯଦି ସେଥିରେ ୪ ଟି ଇଞ୍ଜିନ ବି ଲଗାଯାଏ, ଏଥିରୁ କିଛି ଲାଭ ହେବ ନାହିଁ।

Share