Categories: ଜାତୀୟ

ଉତ୍ତରପ୍ରଦେଶ ନିର୍ବାଚନ ପରେ ଭାଜପାଠାରୁ ଅଲଗା ହୋଇପାରନ୍ତି ନୀତିଶ: ସୂତ୍ର

ପାଟନା,୨୨।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନିର୍ବାଚନ ପରେ ନୀତିଶ କୁମାର ଭାଜପା ମେଣ୍ଟ ଆର୍ଥାତ୍‌ ଏନ୍‌ଡିଏରୁ ଅଲଗା ହୋଇପାରନ୍ତି। ଏନେଇ ସେ ଚିନ୍ତା କରୁଥିବା ବେଳେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଓ ନୀତିଶ କୁମାରଙ୍କ ସହ ସାକ୍ଷାତକାର କରିଥିଲେ। ଏହି ସମୟରେ ୨ ଦିନ ଧରି ଚାଲିଥିବା ବୈଠକରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ପାଟନାରେ ଏକ ରାତ୍ରିଭୋଜନରେ ନୀତିଶ ଓ ପ୍ରଶାନ୍ତ ସାକ୍ଷାତକାର କରିଥିଲେ। ତେବେ ଏସବୁ ଘଟଣା ଉପରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ନଜର ରଖିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ମେଳି କରି ଏକାଠି ହେବାକୁ ସଜବାଜ ହେଲେଣି। ଅନ୍ୟପଟେ ସବୁଠାରୁ ବଡ଼ କଥା ହେଉଛି ବିହାରରେ ନୀତିଶଙ୍କ ଦଳ ଜେଡିୟୁ ଏବଂ ଭାଜପାର ମିଳିତ ସରକାର ରହିଛି। କିନ୍ତୁ ଜନଗଣନାକୁ ନେଇ ଜେଡିୟୁ ଏବଂ ଭାଜପା ମଧ୍ୟରେ କଳହ ଲାଗି ରହିଛି। ଯାହାର ଫାଇଦା ଉଠାଇବାକୁ ବିରୋଧୀ ଚେଷ୍ଟା କରୁଛନ୍ତି। ଏହି ପ୍ରସଙ୍ଗରେ ଆରଜେଡି ନୀତିଶଙ୍କ ସହ ରହିଛି। ତେବେ ବିରୋଧୀ ଦଳର ରଣନୀତି ହେଉଛି, ଭାଜପା ବିରୋଧରେ ଏଭଳି ଶକ୍ତିଶାଳୀ ପ୍ରାର୍ଥୀ ଠିଆ କରିବା ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିବାକୁ ବାଧ୍ୟ ହେବ।

Share