ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍। ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଭାଜପା ଜିତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯ ରେ ସେଠାରୁ ବିଜୟ ଲାଭ କରିଛନ୍ତି। ଯେଉଁଠାରୁ ତାଙ୍କୁ ୬୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲା।
ଏହି ଆସନକୁ ୧୯୫୨ ପରଠାରୁ ଦଶନ୍ଧି ଧରି କଂଗ୍ରେସ କବଜାରେ ରହିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଆସନ ଛଡ଼ାଇନେବା ଇଣ୍ଡିଆ ବ୍ଲକ ପାଇଁ ପ୍ରାୟ ଅସମ୍ଭବ ଲାଗୁଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ଏଥିପାଇଁ ଚର୍ଚ୍ଚାକୁ ଆସିଛି।
ଗୋଟିଏ ସମୟରେ ଭାଜପାର ସହଯୋଗୀ ଥିବା ନୀତିଶ କୁମାର ବର୍ତ୍ତମାନ ଭାଜପାର ବିରୋଧୀ ମାନଙ୍କ ମଧ୍ୟରୁ ଅନ୍ୟତମ। ଇଣ୍ଡିଆ ବ୍ଲକର ପ୍ରତିଷ୍ଠାତା ମାନଙ୍କ ମଧ୍ୟରୁ ସେ ଅନ୍ୟତମ। ଏହା ସହିତ ସେ ଏହି ଗୋଷ୍ଠୀର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ମଧ୍ୟ ଆଲୋଚନା ହେଉଛି। ଏହାପୂର୍ବରୁ ୨୦୧୪ ନିର୍ବାଚନ ସମୟରେ ମଧ୍ୟ ତାଙ୍କର ନାଁ ଏହି ପାଦ ପାଇଁ ଚର୍ଚ୍ଚାରେ ଥିଲା, ସେ ସମୟରେ ସେ ଭାଜପା ସହିତ ଥିଲେ।
ଅନ୍ୟପକ୍ଷେ ପ୍ରିୟଙ୍କା ଗାନ୍ଧୀ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ନାହାନ୍ତି। ୨୦୧୯ ରେ ମଧ୍ୟ ସମାନ ପ୍ରୀୟଙ୍କାଙ୍କୁ ନେଇ ସମାନ ଚର୍ଚ୍ଚା ହୋଇଥିଲା, କିନ୍ତୁ ଅଜୟ ରାୟଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଥିଲା ଏବଂ ସେ ନିର୍ବାଚନ ଫଳାଫଳରେ ତୃତୀୟରେ ରହିଥିଲେ। ଚାରି ବର୍ଷ ପୂର୍ବେ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ପ୍ରଶ୍ନରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଯେତେବେଳେ ବି ଦଳ ନିଷ୍ପତ୍ତି ନେବେ ସେ ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି।