Categories: ଜାତୀୟ

ମନା କଲେ ନୀତୀଶ, ‘INDIA’ ମେଣ୍ଟର ମଙ୍ଗ ଧରିପାରନ୍ତି ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୩।୧: ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବାକୁ ସଫାସଫା ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶନିବାର ମେଣ୍ଟର ବୈଠକ ବସିଥିଲା। ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ସୁଯୋଗ ଦିଆଯିବା ସତ୍ତ୍ୱେ ନୀତୀଶ ସଂଯୋଜକ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିହାର ମନ୍ତ୍ରୀ ସଞ୍ଜୟ ଝା ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି। ତେବେ ନୀତୀଶ ମନା କରିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସଂଯୋଜକ କରିବା ନିମନ୍ତେ ପ୍ରସ୍ତାବ ଉପରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି। ହେଲେ ଆଧିକାରୀକ ଭାବେ ଏନେଇ ଘୋଷଣା କରାଯାଇନାହିଁ।

ଗତ କିଛି ଦିନ ଧରି ଇଣ୍ଡିଆ ମେଣ୍ଟର ମଙ୍ଗ କିଏ ଧରିବ ସେନେଇ ଚର୍ଚ୍ଚା ହେଉଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଠାରୁ ଆରମ୍ଭ କରି ଲାଲୁ ପ୍ରସାଦ ଯାଦବଙ୍କ ନାମ ଏହି ଦୌଡ଼ରେ ରହିଥିଲା। ଶନିବାର ବସିଥିବା ବୈଠକରେ ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ କୁହାଯାଇଥିଲା। କିନ୍ତୁ ସେ ଏଥିରେ ରାଜି ହୋଇ ନ ଥିଲେ। ତାଙ୍କର କୌଣସି ପଦବୀ ପାଇଁ ଆଗ୍ରହ ନାହିଁ। ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ ବୋଲି ସେ କହିଥିଲେ।

କହିରଖୁଛୁ, ଇଣ୍ଡିଆ ମେଣ୍ଟର ଏହି ଭର୍ଚୁଆଲ ବୈଠକରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କଠାରୁ ଆରମ୍ଭ କରି ଅନ୍ୟ ନେତାମାନେ ରହିଥିଲେ। ବୈଠକରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ। ମୋଟ ୧୦ଟି ଦଳ ଏହି ବୈଠକରେ ସାମିଲ ହୋଇଥିଲେ। ଷ୍ଟାଲିନ୍‌ ନୀତୀଶଙ୍କୁ ସଂଯୋଜକ କରାଯାଉ ବୋଲି ପ୍ରସ୍ତାବ ଆଣିଥିଲେ। ହେଲେ ଏହାକୁ ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ।

Share