
ପାଟନା,୨୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୀତିଶ କୁମାର ରାବ୍ରିଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଟାର୍ଗେଟ କରିଥିଲେ। ତେଣୁ ଏବେ ରାବ୍ରୀ ଦେବୀ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାବ୍ରୀ କହିଛନ୍ତି, ନୀତୀଶଙ୍କୁ ଚୌକି ଛାଡି ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବା ଉଚିତ। ଆରଜେଡି ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଉପରେ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଛି।
ବିହାର ବିଧାନସଭାରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତେଜସ୍ବୀ ଯାଦବ ଜାତୀୟ ସଙ୍ଗୀତ ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ବାଚସ୍ପତି କହିଥିଲେ, ସେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇବେ। ଏହା ପରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ ଜାରି ରଖିଥିଲେ। ମନ୍ତ୍ରୀ ବିଜୟ ଚୌଧୁରୀ କହିଥିଲେ, ସେ ସରକାରଙ୍କ ପକ୍ଷ ଉପସ୍ଥାପନ କରିବେ କିନ୍ତୁ ବିରୋଧୀ ଦଳ ହଙ୍ଗାମା ଜାରି ରଖିଥିଲେ। ଏହା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ବିରୋଧୀ ଦଳ ବିହାର ବିଧାନସଭା ପରିଷଦରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଟାର୍ଗେଟ କରିଥିଲେ। ଆରଜେଡି ନେତା ରାବ୍ରୀ ଦେବୀ ଗୃହରେ କହିଥିଲେ, ଯଦି ମୁଖ୍ୟମନ୍ତ୍ରୀ ମାନସିକ ସ୍ତରରେ ଅସ୍ଥିର, ତେବେ ସେ ଚୌକି ଛାଡି ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବା ଉଚିତ।
ବିହାର ବିଧାନସଭା ପରିଷଦରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ରାବ୍ରୀ ଦେବୀଙ୍କ ଆଡ଼କୁ ଇଙ୍ଗିତ କରି ନୀତୀଶ କହିଥିଲେ, ଏହା ତାଙ୍କ ସ୍ବାମୀଙ୍କ ସରକାର ଥିଲା, ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଏହି ଲୋକମାନେ କେବେ କିଛି କରିଛନ୍ତି କି? ଆମେ ସବୁ କାମ କରିଛୁ, ତେଣୁ ସେମାନେ ଯାହା କହୁଛ ତାହାର କୌଣସି ଅର୍ଥ ନାହିଁ। ସେମାନେ କେବଳ ପ୍ରଚାର କରୁଛନ୍ତି।