Categories: ଜାତୀୟ

ଆରଜେଡି ମନ୍ତ୍ରୀଙ୍କୁ ବାହାର କରି ଭାଜପା ନେତାଙ୍କୁ ସରକାରରେ ସାମିଲ କରିବେ ନୀତୀଶ କୁମାର!

ନୂଆଦିଲ୍ଲୀ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସହଯୋଗୀ ତଥା ଲାଲୁ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ମନ୍ତ୍ରୀଙ୍କୁ ବରଖାସ୍ତ କରିବେ ବୋଲି ସୂତ୍ରରୁ ଜଣାପଡିଛି। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଭାଜପା ଏବଂ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) କିମ୍ବା ଜେଡି (ୟୁ) ଭିତରେ ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି।

ଏଥିସହ ବିହାରର ସମସ୍ତ ଭାଜପା ବିଧାୟକ ନୀତୀଶ କୁମାରଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଥିବା ବୋଲି ସୂତ୍ରରୁ ଖବର ମିଳିଛି। ଏହି ରାଜନୈତିକ ବିକାଶ ସୂଚାଉଛି ଯେ ଜେଡି (ୟୁ) ମୁଖ୍ୟ – ଯିଏ ଅଗଷ୍ଟ ୨୦୨୨ ରେ ମହାଗଠବନ୍ଧନ କିମ୍ବା ଗ୍ରାଣ୍ଡ ଆଲାଇନ୍ସରେ ଯୋଗଦେବାକୁ ଭାଜପାକୁ ଛାଡ଼ିଥିଲେ ଆରଜେଡି ଏବଂ କଂଗ୍ରେସ ସହ ମିଳିତ ସରକାର ଚଳାଇବାରେ ସଫଳ ହୋଇ ନାହାନ୍ତି।

ତେବେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନୀତୀଶ କୁମାର ରାଜ୍ୟରେ ସରକାର ପରିବର୍ତ୍ତନ ନେଇ ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରୁଛନ୍ତି।

ଖବର ଅନୁଯାୟୀ ପୁଣିଥରେ ଭାଜପା ଶିବିରକୁ ଫେରିବା ପୂର୍ବରୁ ନୀତୀଶ କୁମାର ରବିବାର ଜେଡି(ୟୁ) ଏବଂ ଭାଜପା ବିଧାୟକଙ୍କ ପାଇଁ ଏକ ଲଞ୍ଚ (ମଧ୍ଯହ୍ନ ଭୋଜନ)ର ଆୟୋଜନ କରୁଛନ୍ତି। ଏହାପରେ ଉଭୟ ପାର୍ଟିର ବିଧାୟକ ରାଜ୍ୟପାଳଙ୍କ ନିକଟକୁ ଯାଇ ସେମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିବେ।

ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ଆରଜେଡିରୁ ବରଖାସ୍ତ ହୋଇଥିବା ମନ୍ତ୍ରୀଙ୍କୁ ଭାଜପା ନେତାଙ୍କ ଦ୍ୱାରା ବଦଳାଇବାର ସମ୍ଭାବନା ରହିଛି।

ବିହାରରେ ସରକାରକୁ ଭାଜପାକୁ ଫେରାଇ ଆଣିଥିବାରୁ ୨୦୨୫ ପରେ କେନ୍ଦ୍ରରେ ନୀତୀଶଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିପାରେ। ଏବେ ଭାଜପାରୁ ରାଜ୍ୟସଭାକୁ ଯାଇଥିବା ସୁଶୀଲ ମୋଦିଙ୍କୁ ଡେପୁଟି କରିବାକୁ ନୀତୀଶ ଚାହୁଁଥିବା ମଧ୍ୟ ଖବର ରହିଛି।

Share