Categories: ଜାତୀୟ

ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ପୁଣିଥରେ ଦୋଛକିରେ, ଶାହାଙ୍କ ଗସ୍ତ ଉପରେ ନଜର…

ପାଟନା,୧୨।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଛି। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଛି। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ କି ନାହିଁ ସେ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। କିନ୍ତୁ, ଜେଡିୟୁ କିମ୍ବା ଭାଜପା ପକ୍ଷରୁ କେହି ଏହି କଳ୍ପନା ଜଳ୍ପନା ସମ୍ପର୍କରେ ସ୍ପଷ୍ଟ ଭାବରେ କହିବାର ସ୍ଥିତିରେ ନାହାଁନ୍ତି। ଯଦିଓ ଭାଜପା ସାଂସଦ ସୁଶୀଲ ମୋଦି ଏହି କଳ୍ପନାଜଳ୍ପନକୁ କିଛି ମାତ୍ରାରେ ଖଣ୍ଡନ କରିବାକୁ ଚେଷ୍ଟା କରିଛନ୍ତି, ତେବେ ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ସେପ୍ଟେମ୍ବର ୧୬ରେ ଅମିତ ଶାହା ଝଂଝାରପୁରରେ ଏକ ସଭାରେ ଯୋଗ ଦେବାକୁ ବିହାରକୁ ଆସୁଛନ୍ତି। ଅମିତ ଶାହାଙ୍କ ଗସ୍ତ ସମୟରେ ନୀତୀଶ କୁମାର ଏବଂ ଭାଜପା ସମ୍ବନ୍ଧୀୟ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବାର ସମସ୍ତ ସମ୍ଭାବନା ରହିଛି। ବାସ୍ତବରେ, ଯେତେବେଳେ ଅମିତ ଶାହା ନିର୍ବାଚନ ରାଲିରେ ସମ୍ବୋଧିତ କରିବେ, ନୀତୀଶ କୁମାରଙ୍କୁ ଟାର୍ଗେଟ କରିବା ପାଇଁ ତାଙ୍କ ଭାଷଣରେ କେଉଁ ପ୍ରକାର ଶବ୍ଦ ବ୍ୟବହାର କରାଯିବ ତାହା ଉପରେ ସମସ୍ତ ରାଜନୈତିକ ସମୀକ୍ଷକଙ୍କ ନଜର ରହିବ।

ଏହାପୂର୍ବରୁ ରାଜ୍ୟରେ ମିଳିତ ମେଣ୍ଟ ଭାଙ୍ଗିବା ପରେ ଅମିତ ଶାହା ନିବାଚନ ବୈଠକ କରିବାକୁ ବିହାର ଆସିଥିଲେ, ତାଙ୍କର ଲକ୍ଷ୍ୟ ନୀତୀଶ କୁମାର ଏବଂ ସେ ମୌଖିକ ଭାବେ କଡ଼ା ସମାଲୋଚନା କରିବା ସହିତ କହିଥିଲେ ଥରେ ନୁହଁ ନୀତୀଶ ଦୁଇଥର ଏଭଳି କରିଛନ୍ତି। ତେଣୁ ତାଙ୍କ ପାଇଁ ଭାଜପାର ରାସ୍ତା ସବୁଦିନ ପାଇଁ ବନ୍ଦ ରହିଛି ଏବଂ ବର୍ତ୍ତମାନ ଏହା ଆଉ ଖୋଲିବ ନାହିଁ।

ଏହି କାରଣରୁ ଅମିତ ଶାହାଙ୍କ ଗସ୍ତ ସମୟରେ ମଧ୍ୟ ଏହି ପ୍ରସଙ୍ଗରେ ଅମିତ ଶାହାଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଛି। ଶାହା ଏଥର ମଧ୍ୟ ତାଙ୍କ ଅଭିଭାଷଣରେ ନୀତୀଶ କୁମାରଙ୍କ ପ୍ରତି ସମାନ କଠୋର ଆଭିମୁଖ୍ୟ ବଜାୟ ରଖୁଛନ୍ତି ଏବଂ ତାଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ଥିବା କଥା ଦୋହରାଉଛନ୍ତି କି ନାହିଁ ତାହା ଉପରେ ସଭିଙ୍କ ନଜର ରହିଛି। ଶାହାଙ୍କ ଆଭିମୁଖ୍ୟରୁ ବିହାରର ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବାର ସମସ୍ତ ସମ୍ଭାବନା ରହିଛି।

ତେବେ ସୁଶୀଲ ମୋଦି ସ୍ପଷ୍ଟ କରିଛନ୍ତି ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଭେଟ ନିର୍ବାଚନ ରାଜନୀତି ସହ ଜଡିତ ନୁହେଁ। ଭାଜପା ପାଇଁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ ଏବଂ ସେ ଅନ୍ୟ କୌଣସି ମିଳିତ ମେଣ୍ଟର ସହଯୋଗୀ ହୋଇସାରିଛନ୍ତି।

 

Share