Categories: ଜାତୀୟ

ରାଜନୀତିକୁ ଓହ୍ଲାଇବେ କି ମୁଖ୍ୟମନ୍ତ୍ରୀଙ୍କ ପୁଅ ? ବଢ଼ିଲା ଚର୍ଚ୍ଚା

ପାଟନା, ୨୮।୦୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁହନ୍ତି ଯେ ସମ୍ପୂର୍ଣ୍ଣ ବିହାର ମୋ ପରିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥାକୁ ନେଇ ମଧ୍ୟ ନୀତୀଶଙ୍କୁ ପ୍ରଶଂସା କରିଛନ୍ତି । ସେ କେବେ ବି ରାଜନୀତିରେ ପରିବାରବାଦକୁ ପ୍ରସୟ ଦେଇ ନାହାନ୍ତି । ହେଲେ ବର୍ତ୍ତମାନ ନୀତୀଶଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାର ରାଜନୀତିର ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି । ତେବେ ନିକଟରେ ଯେତେବେଳେ ନିଶାନ୍ତ କୁମାରଙ୍କୁ ପାଟଣାର ଏକ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଥିଲା, ସେତେବେଳେ ସେ ନିଜେ ଏହି ପ୍ରଶ୍ନର ଜବାବ ଦେଇଥିଲେ।

ପାଟନାରେ ଏକ ଇଲେକ୍ଟ୍ରୋନିକ ଦୋକାନକୁ ଯାଇଥିବାବେଳେ ସାମ୍ବାଦିକମାନେ ଯେତେବେଳେ ନିଶାନ୍ତଙ୍କୁ, ସେ ରାଜନୀତିରେ ଯୋଗଦେବେ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସେତେବେଳେ ନିଶାନ୍ତ କହିଥିଲେ ଯେ ସେ, ଆଧ୍ୟାତ୍ମିକତା ଉପରେ ବିଶ୍ୱାସ କରନ୍ତି ଏବଂ ସ୍ପିକର କିଣିବା ପାଇଁ ଦୋକାନକୁ ଆସିଛନ୍ତି । ଯାହାଦ୍ୱାରା ସେ ଭଜନଗୁଡ଼ିକୁ ଭଲ ଭାବରେ ଶୁଣିପାରିବେ । ସେ ଆହୁରି କହିଛନ୍ତି, ମୁଁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆସିଛି । ମୋବାଇଲରେ ହରେ ରାମ, ହରେ କୃଷ୍ଣଙ୍କ କଥା ଶୁଣିବା ପାଇଁ ମୁଁ ଏକ ସ୍ପିକର କିଣିବାକୁ ଆସିଛି, ଯାହାଫଳରେ ମୁଁ ଏହା ଭଲ ଭାବରେ ଶୁଣିପାରିବି ।

ତେବେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆପଣ ରାଜନୀତିକୁ ଆସୁଛନ୍ତି କି? ତାଙ୍କ ସହ ଥିବା ସୁରକ୍ଷାକର୍ମୀଙ୍କୁ ନିଶାନ୍ତ କହିଥିଲେ – ଆରେ, ଚାଲ ଯିବା । ମୁଁ ଏକ ଆଧ୍ୟାତ୍ମିକ ପଥରେ ଚାଲୁଛି କହି ସେ କାରରେ ବସିଯାଇଥିଲେ। ଯେତେବେଳେ ସାମ୍ବାଦିକ ନିଶାନ୍ତ କୁମାରଙ୍କୁ ପୁଣି ପଚାରିଲେ, ସେ ସ୍ପଷ୍ଟ ଭାବରେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ମୁଁ ବର୍ତ୍ତମାନ ଆଧ୍ୟାତ୍ମିକତାର ପଥରେ ଅଛି।

Share