Categories: ଜାତୀୟ

ଉତ୍ତରପ୍ରଦେଶରୁ ଲୋକ ସଭା ନିର୍ବାଚନ ଲଢ଼ିପାରନ୍ତି ନୀତୀଶ

ପାଟନା, ୩ା୭ : ଦିଲ୍ଲୀ ରାଜନୀତି ଉପରେ ନଜର ରଖିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉତ୍ତରପ୍ରଦେଶକୁ ତାଙ୍କର ଲଞ୍ଚ୍‌ପ୍ୟାଡ୍‌ କରିପାରନ୍ତି। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି) ସହ ମେଣ୍ଟ କରିବାକୁ ଜେଡିୟୁ ଚାହୁଁଛି। ୟୁପିର ଫୁଲପୁର ଏବଂ ପ୍ରତାପଗଡ଼ ଲୋକ ସଭା ଆସନ ଉପରେ ଏହି ଦଳ ନଜର ପକାଇଛି। ଯଦି ନୀତୀଶ ଫୁଲପୁରରୁ ଲୋକ ସଭା ପ୍ରାର୍ଥୀ ହୁଅନ୍ତି, ତେବେ ସେ କୁର୍ମି ଓ ଯାଦବ ଭୋଟଗୁଡ଼ିକୁ ଏକାଠି କରିପାରିବେ। ଓବିସି ବର୍ଗର ଏହି ଦୁଇ ସମ୍ପ୍ରଦାୟ ଭାଜପା ବିରୋଧରେ ବିରୋଧୀ ମେଣ୍ଟକୁ ସମର୍ଥନ କରିବେ ବୋଲି କୁହାଯାଉଛି। ଉତ୍ତରପ୍ରଦେଶରେ ୨୦୧୯ ସାଧାରଣ ନିର୍ବାଚନରେ ଜେଡିୟୁକୁ ମାତ୍ର ୦.୧% ଭୋଟ ମିଳିଥିଲା। ପ୍ରଧାନମନ୍ତ୍ରୀ ହେବା ଲାଗି ଅଭିଳାଷ ରଖିଥିବା ନୀତୀଶ ଭାଜପା ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ ବିହାର ବାହାରେ କୌଣସି ଆସନରୁ ଲଢ଼ିପାରନ୍ତି। ସେ ରାମ ମନୋହର ଲୋହିଆଙ୍କ ବିଚାରଧାରାର ସମର୍ଥକ ହୋଇଥିବାରୁ ତାଙ୍କର ପୂର୍ବ ନିର୍ବାଚନ ମଣ୍ଡଳୀ ଫୁଲପୁର ନୀତୀଶଙ୍କ ପାଇଁ ଉପଯୁକ୍ତ ଆସନ ହୋଇପାରେ। ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓବିସି ଭୋଟଗୁଡ଼ିକୁ ଏକାଠି କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଯଦି ନୀତୀଶ ଫୁଲପୁରରୁ ନିର୍ବାଚନ ଲଢ଼ନ୍ତି ତେବେ ସେ କୁର୍ମି ଓ ଯାଦବ ଭୋଟକୁ ଏକାଠି କରିପାରିବେ ବୋଲି ଜଣେ ବରିଷ୍ଠ ଜେଡିୟୁ ନେତା କହିଛନ୍ତି। ସେଥିପାଇଁ ୟୁପିରେ ଏସ୍‌ପି ସହ ଜେଡିୟୁର ମେଣ୍ଟ ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଆସନ ଭାଗବଣ୍ଟା ଆଲୋଚନା ବେଳେ ଫୁଲପୁର ଏବଂ ପ୍ରତାପଗଡ଼ ଜେଡିୟୁକୁ ଛାଡ଼ିଦେବା ପାଇଁ ଏହି ଦଳ ଏସ୍‌ପିକୁ କହିବ ବୋଲି ନେତା ଜଣକ ସୂଚନା ଦେଇଛନ୍ତି।

Share