Categories: ଜାତୀୟ

ପାଟନାରେ ବିରୋଧୀ ନେତାଙ୍କୁ ଏକାଠି କରିବେ ନୀତୀଶ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ବିହାରରେ ବିରୋଧୀ ନେତାମାନଙ୍କ ବୈଠକ କରିବେ ବୋଲି ଶନିବାର ସୂଚନା ଦେଇଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ଲାଗି ବହୁ ନେତା ସେଠାରେ ବ୍ୟସ୍ତ ଅଛନ୍ତି। ଉକ୍ତ ନିର୍ବାଚନ ଶେଷ ହେବା ପରେ ବିରୋଧୀ ନେତାମାନଙ୍କ ବୈଠକ ବସିବ। ବିରୋଧୀ ଦଳଗୁଡ଼ିକ ଏକତାକୁ ନେଇ ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଜରୁରୀ। ଏଥିପାଇଁ ସମସ୍ତ ବିରୋଧୀ ଦଳ ନେତା ଏକାଠି ବସି ଆଲୋଚନା କରିବାକୁ ହେବ ବୋଲି ନୀତୀଶ କହିଛନ୍ତି। ବୈଠକ କେଉଁଠି ହେବ ତାହା କର୍ନାଟକ ନିର୍ବାଚନ ପରେ ସ୍ଥିର ହେବ। ପାଟନାରେ ବୈଠକ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହେଲେ ସେଠାରେ ଆୟୋଜନ କରାଯିବ ବୋଲି ଜେଡିୟୁ ମୁଖ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ନୀତୀଶ ଓ ତାଙ୍କ ଡେପୁଟୀ ତେଜସ୍ବୀ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତାରେ ଭେଟି ବିରୋଧୀ ଏକତା ସମ୍ପର୍କରେ ଆଲୋଚନା କରିଥିଲେ। ଲୋକ ସଭା ନିର୍ବାଚନ ପୂର୍ବରୁ ପାଟନାରେ ସବୁ ବିରୋଧୀ ନେତାଙ୍କୁ ଏକାଠି କରିବା ଲାଗି ମମତା ସେମାନଙ୍କୁ କହିଥିଲେ। ପରେ ନୀତୀଶ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବକଙ୍କୁ ଲକ୍ଷ୍ନୌରେ ଭେଟି ମେଣ୍ଟ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ନୀତୀଶ ଓ ତେଜସ୍ବୀ ଏପ୍ରିଲ ୧୨ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିତ୍ଥଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ସହ ମଧ୍ୟ ନୀତୀଶଙ୍କର ଆଲୋଚନା ହୋଇଥିଲା।

Share