Categories: ଖେଳ

ଉତ୍ତରାଞ୍ଚଳର ନେତୃତ୍ୱ ନେବେ ନୀତୀଶ

ନୂଆଦିଲ୍ଲୀ, ୧୧ା୭ : ପୁଡୁଚେରୀରେ ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହେବ। ଏଥିରେ ଦିଲ୍ଲୀର ବାମହାତୀ ବ୍ୟାଟର ନୀତୀଶ ରାଣା ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେବେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ ନେତୃତ୍ୱ ନେଇଥିବା ରାଣା ଏଥିରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ୨୯ ବର୍ଷୀୟ ରାଣା ୨୦୨୧ରେ ଶ୍ରୀଲଙ୍କା ଟୁର୍‌ ବେଳେ ଭାରତ ପାଇଁ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି। ଗତ ଆଇପିଏଲ୍‌ରେ କେକେଆର ପାଇଁ ସେ ଭଲ ପ୍ରଦର୍ଶନ କରିଛନ୍ତି। ସେ ୧୪ଟି ମ୍ୟାଚ୍‌ ୧୪୦.୯୫ ଷ୍ଟ୍ରାଇକରେଟ୍‌ରେ ୩ ଅର୍ଦ୍ଧଶତକ ସହ ୪୧୩ ରନ ସଂଗ୍ରହ କରିଥିଲେ। ଅବଶ୍ୟ ନାଇଟ ରାଇଡର୍ସ ଦଳରେ ସେ ରିଙ୍କୁ ସିଂ (୪୭୪ ରନ)ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଥିଲେ। ଉଦୀୟମାନ ବ୍ୟାଟର ଅଭିଷେକ ଶର୍ମା, ଉଇକେଟକିପର ବ୍ୟାଟର ପ୍ରଭଶିମରନ ସିଂ ଏବଂ ହର୍ଷିତ ରାଣାଙ୍କୁ ମଧ୍ୟ ୧୫ଜଣିଆ ଦଳରେ ସ୍ଥାନ ମିଳିଛି। ତେବେ ଏହି ୩ଜଣ ଜୁଲାଇ ୧୩ ରୁ ୨୩ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳାଯିବାକୁଥିବା ଏମର୍ଜିଂ ଟିମ୍ସ ଏସିଆ କପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଭାରତ ଯଦି ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରେ ତେବେ ପରଦିନ ସେମାନେ ଉତ୍ତରାଞ୍ଚଳ ଦଳରେ ଯୋଗଦେଇ ପାରିବେ।
ଉତ୍ତରାଞ୍ଚଳ ଦଳ: ନୀତୀଶ ରାଣା (ଅଧିନାୟକ), ଅଭିଷେକ ଶର୍ମା, ପ୍ରଭଶିମରନ ସିଂ, ଏସ୍‌ଜି ରୋହିଲା, ଏସ୍‌. ଖଜୁରିଆ, ମନଦୀପ ସିଂ, ହିମାଂଶୁ ରାଣା, ବିଭ୍ରାନ୍ତ ଶର୍ମା, ନିଶାନ୍ତ ସିନ୍ଧୁ, ରିଷି ଧାଓ୍ବନ, ଯୁଦ୍ଧବୀର ସିଂ, ସନ୍ଦୀପ ଶର୍ମା, ହର୍ଷିତ ରାଣା, ବୈଭବ ଆରୋରା ଓ ମୟଙ୍କ ମାର୍କଣ୍ଡେ। ଷ୍ଟାଣ୍ଡବାଏ ଖେଳାଳି: ମୟଙ୍କ ଡାଗର, ମୟଙ୍କ ଯାଦବ, ଅର୍ସାଲ ଖାଁ, ଶୁଭମ ଆରୋରା, ଯୁବରାଜ ସିଂ, ମନନ ଭୋରା, ଆକ୍ୱିବ ନବି, ଶିଭଙ୍କ ବଶିଷ୍ଟ।

Share