ପାଟନା,୨୯।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ଗ୍ରାଣ୍ଡ ଆଲାଇନ୍ସ ‘ଇଣ୍ଡିଆ‘ ସହ ଅଛନ୍ତି ଏବଂ ସାତ ଜନ୍ମରେ ମଧ୍ୟ ଭାଜପା ସହ ମେଣ୍ଟ କରିବେ ନାହିଁ ବୋଲି ଜେଡିୟୁ ସଭାପତି ଲଲନ ସିଂ କହିଛନ୍ତି। ନୀତୀଶ କୁମାର ତାଙ୍କ ମତ ବଦଳାଉଛନ୍ତି ବୋଲି ଏକ ମିଥ୍ୟା ଭାବନା ସୃଷ୍ଟି କରିବା ପାଇଁ ଭାଜପା ଏକ ଅଭିଯାନ ଚଲାଇଥିବା ଅଭିଯୋଗ କରିଛନ୍ତି।
ଭାରତୀୟ ଜନତା ପାର୍ଟି (ଭାଜପା) ଦେଶର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଜନତା ଦଳ-ୟୁନାଇଟେଡ (ଜେଡିୟୁ) ନେତା ନୀତୀଶ କୁମାର ଏକ ବର୍ଷ ପୂର୍ବେ ଭାଜପା ସହ ସମ୍ପର୍କ ଭାଙ୍ଗି ବିହାରରେ ଏକ ନୂତନ ମହାଗଠବନ୍ଧନର ସରକାର ଗଠନ କରିଥିଲେ।
ଲଲନ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ଯେ ଆମ ନିଜ ଦଳରେ ଭାଜପାର ଅନେକ ସମର୍ଥକ ଅଛନ୍ତି ଯେଉଁମାନେ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି କରିବାରେ ଜଡିତ ଅଛନ୍ତି। ଏପରି ଜଣାପଡିବା ପରେ ରଣବୀର ନନ୍ଦନଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।