ପାଟନା,୨୪।୮: ଗୟାର ବିଶ୍ୱ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବାରଣ ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ କ୍ୟାବିନେଟରେ ଜଣେ ମୁସଲମାନ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସେଠାରେ ପ୍ରବେଶ କରିବା ଘଟଣାରେ ବିବାଦ ଦେଖାଦେଇଛି। ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇ ନୀତୀଶ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି। ଏଥିପାଇଁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଭାଜପା ଦାବି କରିଛି। ଯଦି ମୁଖ୍ୟମନ୍ତ୍ରୀ କ୍ଷମା ନ ମାଗନ୍ତି, ତେବେ ଆନ୍ଦୋଳନ ଜୋର୍ଦାର ହେବ ବୋଲି ଗୈରିକ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ସେପ୍ଟେମ୍ବର ୯ରୁ ପିତୃପକ୍ଷ ମେଳା ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିବା ଲାଗି ନୀତୀଶଙ୍କ ସହ ଗୟା ଜିଲା ଦାୟିତ୍ୱରେ ଥିବା ମହମ୍ମଦ ଇସ୍ରାଏଲୀ ମନସୁରୀ ଓ ଅନ୍ୟ ମନ୍ତ୍ରୀମାନେ ମନ୍ଦିର ଯାଇଥିଲେ। ଏଥିପାଇଁ ନୀତୀଶ କ୍ଷମା ମାଗନ୍ତୁ ବୋଲି ଭାଜପା ରାଜ୍ୟ ସଭାପତି ସଞ୍ଜୟ ଜୟସ୍ବାଲ ଦାବି କରିଛନ୍ତି। ମନସୁରୀଙ୍କୁ ପୂର୍ବରୁ କେବେ ଦେଖି ନ ଥିବାରୁ ତାଙ୍କୁ ଚିହ୍ନି ପାରି ନ ଥିଲେ ବୋଲି ମନ୍ଦିର କମିଟି ସଦସ୍ୟ ମହେଶ ଗୁପ୍ତ କହିଛନ୍ତି। ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି ନୋଟିସ ବୋର୍ଡରେ ସ୍ପଷ୍ଟ ଲେଖାଥିବାବେଳେ ମନସୁରୀ ସେଠାରେ ପ୍ରବେଶ କରିବା ଉଚିତ ନ ଥିଲା ବୋଲି ସେ କହିଛନ୍ତି।