Categories: ଜାତୀୟ

ଜାତି କୋଟା ୬୫%କୁ ବଢ଼ାଇବା ପାଇଁ ନୀତୀଶଙ୍କ ପ୍ରସ୍ତାବ

ପାଟନା,୮ା୧୧ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବଢ଼ାଇବା ପାଇଁ ମଙ୍ଗଳବାର ବିଧାନସଭାରେ ପ୍ରସ୍ତାବ ରଖିଛନ୍ତି। ଏହା ବାଦ୍‌ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିବ। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବାକୁ ଥିବାବେଳେ ଓବିସି ଏବଂ ଅତ୍ୟନ୍ତ ପଛୁଆ ବର୍ଗ(ଇବିସି)ଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ, ଯାହା ବର୍ତ୍ତମାନ ୩୦ ପ୍ରତିଶତ ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଦିଆଯାଇଛି। ଆବଶ୍ୟକ ବିଚାରବିମର୍ଶ ପରେ ସଂରକ୍ଷଣ ବୃଦ୍ଧିକୁ ଜରୁରୀ ଭାବେ କାର୍ଯ୍ୟକାରୀ କରାଯିବ। ଚଳିତ ଅଧିବେଶନରେ ଏହି ପରିବର୍ତ୍ତନ ଆଣିବା ଆମର ଉଦ୍ଦେଶ୍ୟ ବୋଲି ନୀତୀଶ କହିଛନ୍ତି।
ବିହାରର ବହୁ ପ୍ରତୀକ୍ଷିତ ଜାତି ଜନଗଣନା ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ବିତର୍କରେ ଭାଗନେଇ ନୀତୀଶ ଉପରୋକ୍ତ ପ୍ରସ୍ତାବ ରଖିଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ବିହାରରେ ୩୪.୧ ପ୍ରତିଶତ ପରିବାର ଗରିବ। ସେମାନଙ୍କ ମାସିକ ଆୟ ୬,୦୦୦ ଟଙ୍କାରୁ କମ୍‌। ରୋଜଗାର କିମ୍ବା ଶିକ୍ଷା ପାଇଁ ୫୦ ଲକ୍ଷରୁ ଅଧିକ ବିହାରୀ ରାଜ୍ୟ ବାହାରେ ରହୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧାରୀ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଥିଲେ। ପଛୁଆ ବର୍ଗ, ଦଳିତ ଓ ଆଦିବାସୀଙ୍କ ମଧ୍ୟରେ ଦାରିଦ୍ର୍ୟ ଯଥେଷ୍ଟ ବଢ଼ିଥିବାବେଳେ ଉଚ୍ଚଜାତିରେ ମଧ୍ୟ ଏହା ବୃଦ୍ଧି ପାଇଥିବା ରିପୋର୍ଟରେ ସ୍ବୀକାର କରାଯାଇଛି। ଉଚ୍ଚଜାତିରେ ଦାରିଦ୍ର୍ୟ ହାର ୨୫% ରହିଛି। ରିପୋର୍ଟ ଅନୁଯାୟୀ ବିହାରରେ ପ୍ରାୟ ୨.୯୭ କୋଟି ପରିବାର ରହୁଥିବାବେଳେ ସେଥିରୁ ୯୪ ଲକ୍ଷରୁ ଊର୍ଦ୍ଧ୍ୱ (୩୪.୧%) ପରିବାର ଗରିବ। ୪୬ ଲକ୍ଷ ଅନ୍ୟ ରାଜ୍ୟରେ କାମ କରି ଗୁଜୁରାଣ ମେଣ୍ଟାଉଥିବାବେଳେ ୨.୧୭ ଲକ୍ଷ ବିଦେଶରେ ରହି ରୋଜଗାର କରୁଛନ୍ତି। ରାଜ୍ୟର ମାତ୍ର ୯ ପ୍ରତିଶତ ପରିବାରର ମାସିକ ଆୟ ୫୦,୦୦୦ରୁ ଅଧିକ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

Share