ନିତ୍ୟାନନ୍ଦଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ଚଳିତ ବର୍ଷ ଶାରଳା ପୁରସ୍କାର ପାଇବେ। ତାଙ୍କ ରଚିତ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ନାୟକ ୪୧ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ନାୟକଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ନିତ୍ୟାନନ୍ଦଙ୍କ ଏହି ପୁସ୍ତକ ୨୦୧୭ରେ ଫ୍ରେଣ୍ଡ୍‌ସ ପବ୍ଲିଶର୍ସ୍‌ ଦ୍ୱାରା ପ୍ରକାଶିତ ହୋଇଛି। ଅନ୍ୟପକ୍ଷରେ ସଙ୍ଗୀତ ଏବଂ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିତ୍ୱଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ଚଳିତବର୍ଷ ଲାଗି ସଙ୍ଗୀତ କ୍ଷେତ୍ରରେ ରଞ୍ଜିତ କୁମାର ନାଗ ଏବଂ ଚିତ୍ରକଳା କ୍ଷେତ୍ରରେ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ପୁରସ୍କାର ସ୍ବରୂପ ଉଭୟଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରସ୍କାର ସମାରୋହ ଆୟୋଜନ କରା ନ ଯାଇ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଇମ୍ଫା ଗ୍ରୁପ୍‌ ପରିଚାଳିତ ‘ଇମ୍ପାକ୍ଟ’ ଆନୁକୂଲ୍ୟରେ ୧୯୭୯ରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Share