Categories: ବାଣିଜ୍ୟ

ଏନ୍‌ଏମ୍‌ଏସିସି ଉଦ୍‌ଘାଟିତ

ମୁମ୍ବାଇ,୧।୪: ସାରା ବିଶ୍ୱର କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଦେଶର ସର୍ବବୃହତ୍‌ କଲ୍‌ଚରାଲ ସେଣ୍ଟର ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟର (ଏନ୍‌ଏମ୍‌ଏସିସି) ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଦେଶ ବିଦେଶର କଳାକାର, ଧର୍ମଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ଏନ୍‌ଏମ୍‌ଏସିସି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ, ମୁକେଶ ଅମ୍ବାନୀ ଏବଂ ଇଶା ଅମ୍ବାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏ ସମ୍ପର୍କରେ ନୀତା କହିଛନ୍ତି, ଏନ୍‌ଏମ୍‌ଏସିସିକୁ ମିଳିଥିବା ସମର୍ଥନକୁ ନେଇ ଆମେ ବେଶ୍‌ ଉତ୍ସାହିତ। ଏପରିକି ଏହା ଦୁନିଆର ଶ୍ରେଷ୍ଠ କଲ୍‌ଚରାଲ ସେଣ୍ଟର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ବିଶେଷକରି ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ବାଗତ କରୁଛୁ। ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଞ୍ଚଳର ଯୁବତୀଯୁବକଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ଶୋ’ଗୁଡ଼ିକ ମଧ୍ୟ ଏଠାରେ ଆୟୋଜିତ ହେବ। ସେହିଭଳି ମୁକେଶ କହିଛନ୍ତି, ମୁମ୍ବାଇ ସମେତ ସାରା ଦେଶ ପାଇଁ ଉକ୍ତ ସେଣ୍ଟର ସବୁଠୁ ବଡ଼ କେନ୍ଦ୍ର ଭାବେ ଉଭାହେବ। ଏଠାରେ ବଡ଼ ବଡ ଶୋ’ର ଆୟୋଜନ କରାଯାଇପାରିବ। ମୁଁ ଆଶା କରୁଛି, ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ମୌଳିକ ବା ଅରିଜିନାଲ୍‌ ଶୋ’ ଏଠାରେ ପ୍ରସ୍ତୁତ କରିପାରିବେ।

Share