Categories: ଜାତୀୟ

ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି ନାହିଁ

ନୂଆଦିଲ୍ଲୀ,୪।୫: ପାକିସ୍ତାନରେ ଡାକ୍ତରୀ ଶିକ୍ଷା ଲାଭ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କମିଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କୌଣସି ଭାରତୀୟ ନାଗରିକ ଅବା ପ୍ରବାସୀ ଭାରତୀୟ ପାକିସ୍ତାନର ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା କରିବାକୁ ଇଚ୍ଛା ରଖିଥିଲେ ସେମାନେ ନ ଯାଆନ୍ତୁ। କାରଣ ଉକ୍ତ ଛାତ୍ରଙ୍କୁ ବୈଦେଶିକ ମେଡିକାଲ ଗ୍ରାଜୁଏଟ୍‌ ଏକ୍‌ଜାମିନେଶନ ସ୍କ୍ରିନିଂ ଟେଷ୍ଟରେ ବସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଉଭୟ ଅନୁଷ୍ଠାନ ବିଜ୍ଞପ୍ତିରେ ଦର୍ଶାଇଛନ୍ତିି।

ଏହାଛଡ଼ା ଶରଣାର୍ଥୀ ଏବଂ ସେମାନଙ୍କ ପିଲାଙ୍କ ପ୍ରତି ଭିନ୍ନ ନିୟମ କରାଯାଇଛି। ସେମାନେ ଭାରତର ନାଗରିକତ୍ୱ ପାଇବା ସହ ପାକିସ୍ତାନରୁ ଡାକ୍ତରୀ ଡିଗ୍ରୀ କିମ୍ବା ଉଚ୍ଚଶିକ୍ଷା ହାସଲ କରିଥିଲେ ଏଫ୍‌ଏମ୍‌ଜିଇ ଅଥବା ନ୍ୟାଶନାଲ ଏକ୍‌ଜିିଟ୍‌ ଟେଷ୍ଟରେ ବସିପାରିବେ। ତେବେ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ସେମାନେ ଭାରତରେ ଚାକିରି ପାଇବାକୁ ହକ୍‌ଦାର ହେବେ ବୋଲି କୁହାଯାଇଛି।

ତେବେ, ଡିସେମ୍ବର ୨୦୧୮ ପୂର୍ବରୁ ପାକିସ୍ତାନରୁ ଡିଗ୍ରୀ ହାସଲ କରିଥିବା ଛାତ୍ରମାନଙ୍କ ପାଇଁ ଏହି ନୂତନ ନିୟମ ପ୍ରଯୁଜ୍ୟ ହେବ ନାହିଁ। କେବଳ ଏତିକି ନୁହେଁ, ଡିସେମ୍ବର ୨୦୧୮ ପରଠାରୁ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ପାକିସ୍ତାନର ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରମାନଙ୍କ ପାଇଁ ମଧ୍ୟ ଏହି ନୂତନ ନିୟମ ପ୍ରଯୁଜ୍ୟ ହେବ ନାହିଁ।

ନିକଟରେ ୟୁଜିସି, ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ ପକ୍ଷରୁ ମଧ୍ୟ ଏକ ବିବୃତି ଜାରି କରାଯାଇ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଛାତ୍ର ଏହାକୁ ନ ମାନେ, ତେବେ ଭାରତରେ ସେମାନଙ୍କର ଡିଗ୍ରୀ ବୈଧ ହେବ ନାହିଁ। ପାକିସ୍ତାନରେ କରାଯାଇଥିବା ପାଠ୍ୟକ୍ରମ ଆଧାରରେ ସେମାନେ ଭାରତରେ ଚାକିରି ପାଇବେ ନାହିଁ।

ପ୍ରକାଶ ଯେ, ପାକିସ୍ତାନରେ ପଢ଼ୁଥିବା ଛାତ୍ରମାନେ ଆଇଏସ୍‌ଆଇରେ ସାମିଲ ହେଉଛନ୍ତି। ଏପରିକି ଛାତ୍ରମାନଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଉସୁକାଯାଉଛି ବୋଲି ଜଣାପଡ଼ିଛି।

Share