Advertisement

ଆଧାର ସଂଯୋଗ ନ ଥିଲେ ବ୍ୟାଙ୍କ ଫେରାଉନି ଜମାଅର୍ଥ, ଓଡ଼ିଶା ହାଇକୋର୍ଟ ଦେଲେ ବଡ ରାୟ

କଟକ,୨୫ା୨(କାର୍ତ୍ତିକ ସାହୁ): ପାନ୍‌ କାର୍ଡ ସହ ଆଧାର କାର୍ଡ ସଂଯୋଗ ନ ଥିବାରୁ ବ୍ୟାଙ୍କ ଆକାଉଣ୍ଟରେ ଜମାଥିବା ଅର୍ଥରାଶି ଜମାକାରୀ ପାଇପାରୁ ନାହାନ୍ତି। ଜମା ଅର୍ଥରାଶି ଫେରାଇବା ପାଇଁ ପାନ୍‌-ଆଧାର ଜରୁରୀ ବୋଲି ବ୍ୟାଙ୍କ କହୁଛି। ମାତ୍ର ଜମାକାରୀ ଏହାକୁ ବେଆଇନ ଦର୍ଶାଇ ଅର୍ଥରାଶି ଫେରସ୍ତ ପାଇଁ ଯୁକ୍ତି ଦର୍ଶାଇଥିଲେ। ବ୍ୟାଙ୍କ ଓ ଜମାକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦକୁ ନେଇ ରୁଜୁ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଡିମାଟ୍‌ ଆକାଉଣ୍ଟ ପାଇଁ ଆଧାର-ପାନ୍‌ ଲିଙ୍କେଜ୍‌ ସାମ୍ବିଧାନିକ ଭାବେ ବାଧ୍ୟତାମୂଳକ ବୋଲି ବିଚାରପତି ଡ. ଏସ୍‌.କେ. ପାଣିଗ୍ରାହୀ ଦର୍ଶାଇ ସମସ୍ତ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଉଠାଇ ଦେଇଛନ୍ତି।

ମାମଲାର ବିବରଣୀ ଅନୁସାରେ, ଆବେଦନକାରୀ ତଥାଗତ ସତପଥୀ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କଟକ-ପୁରୀ ରୋଡ୍‌ ଶାଖାରେ ଏକ ଜମାଖାତା ୨୦୧୭ ଏପ୍ରିଲ ୨୦ ତାରିଖରେ ଖୋଲି ନିୟମିତ ଚଳାଇ ଆସୁଥିଲେ। ସମୟ କ୍ରମେ ଉକ୍ତ ବ୍ୟାଙ୍କର ଶାଖା ପରିଚାଳକ ଆବେଦନକାରୀଙ୍କୁ ଜମାଖାତାରେ ଥିବା ଅର୍ଥରୁ ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ରେ ନିବେଶ କରି ଅଧିକ ଲାଭ ପାଇବା ପାଇଁ ପ୍ରବର୍ତ୍ତାଇଥିଲେ। ଶାଖା ପରିଚାଳକଙ୍କ କଥା ଅନୁସାରେ ଆବେଦନକାରୀ ୨୦୧୯ ଡିସେମ୍ବର ୨୪ ତାରିଖରେ ଉକ୍ତ ବ୍ୟାଙ୍କର ଜମାଖାତାରୁ ୨୫ ଲକ୍ଷ ଟଙ୍କା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ଏକ ଡିମାଟ୍‌ ଆକାଉଣ୍ଟରେ ଜମା କରିଥିଲେ। ସେଥିରେ ଟ୍ରେଡିଂ କାରବାର ୨୦୨୦ ଜାନୁୟାରୀ ୬ ତାରିଖରୁ ଆରମ୍ଭ ହୋଇଥିଲା।

ସେହି ଆକାଉଣ୍ଟରେ ଆବେଦନକାରୀ କାରବାର ଚଳାଇଥିବା ବେଳେ ୨୦୨୩ ଜୁଲାଇରେ ବ୍ୟାଙ୍କ ତାହାକୁ ଅଚଳ(ଡରମାଣ୍ଟ) କରିଦେଇଥିଲା। ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ସଂଯୋଗ ହୋଇନାହିଁ ବୋଲି ବ୍ୟାଙ୍କ ଯୁକ୍ତି ଦର୍ଶାଇଥିଲା। ଜମାଖାତା ଓ ଡିମାଟ ଆକାଉଣ୍ଟ ସହ ମଧ୍ୟ ଆଧାର ସଂଯୋଗ ହୋଇନାହିଁ ବୋଲି କୁହାଯାଇଥିଲା। ତେବେ ଆବେଦନକାରୀଙ୍କ ଆଧାର କାର୍ଡ ନ ଥିବାରୁ ଖାତା ଖୋଲିବାବେଳେ ଉଭୟ ଆକାଉଣ୍ଟରେ ଆଧାର ସଂଯୋଗ କରାଯାଇ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବ୍ୟାଙ୍କ ଆକାଉଣ୍ଟ କାରବାର ଲାଗି ଆଧାର ବାଧ୍ୟତାମୂଳକ ନୁହେଁ ଦର୍ଶାଇ ଟଙ୍କା ଫେରାଇଦେବା ପାଇଁ ଆବେଦନକାରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦର୍ଶାଇଥିଲେ। ବିଭିନ୍ନ ସମୟରେ ଇମେଲ୍‌ ଯୋଗେ ଚିଠି ଆଦାନପ୍ରଦାନ ପରେ ବି କୌଣସି ସୁଫଳ ମିଳି ନ ଥିଲା। ଏହାପରେ ଆବେଦନକାରୀ ବ୍ୟାଙ୍କରୁ ତାଙ୍କର ଜମାଅର୍ଥ ଫେରିପାଇବା ନିମନ୍ତେ ଆଦେଶ ଦେବାକୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାଶ ଓ ଆଇନଜୀବୀ ଏନ୍‌.ସି. ମହାନ୍ତି ମାମଲା ପରିଚାଳନା କରୁଥିଲେ।

Share