ପଦ ଚାଲିଯିବା ଭୟରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି: କଂଗ୍ରେସ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ପୁରୀ ରାଜଭବନରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ବନ୍ଧୁ ଅତି ନୃଶଂସ ଭାବେ ଶାରୀରିକ ନିର୍ଯାତନା ଦେବାପରେ ଏହି ଘଟଣାକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି। ତଥାପି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅପରାଧୀ ପୁତ୍ର ଲଳିତ କୁମାର ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫକରି ଦଣ୍ଡବିଧାନର ବ୍ୟବସ୍ଥା ନ କରିବା ଦୁର୍ଭାଗ୍ୟଜନକ। ଏଥିରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭୟ କରି ତାଙ୍କ ପୁଅ ଲଳିତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଲଳିତ କୁମାରଙ୍କୁ ଗିରଫକଲେ ହୁଏତ ତାଙ୍କର ପଦ ଚାଲିଯିବା ଆଶଙ୍କା ରହିଛି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି।
ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଗୁରୁବାର ନଓ୍ବାଜ କହିଛନ୍ତି, ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କଠାରୁ ଅଧିକ ତାଙ୍କ ପୁଅଙ୍କୁ ଖାତିର କରୁଥିବା ମନେହେଉଛି। କାରଣ ଜଣେ କର୍ତ୍ତବ୍ୟରତ ଓଡ଼ିଆ ଅଧିକାରୀଙ୍କୁ ନିଜର ଜୋତା ଚାଟିବା ପାଇଁ ବାଧ୍ୟ କରିଥିବା ଏବଂ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଲଳିତ କୁମାର ଏବେ ନିର୍ଭୟରେ ବୁଲୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀମାନଙ୍କୁ ରାଜଭବନରେ କେତେବେଳେ ବି ଲଳିତ କୁମାର ଦୁର୍ବ୍ୟବହାର କରିପାରନ୍ତି। ତାଙ୍କର ଦୌରାମତ୍‌ୟକୁ କେତେଜଣ କ୍ଷମତାଲୋଭୀ ରାଜନେତା ସହ୍ୟ କରିଯାଉଛନ୍ତି। ଏ ରାଜ୍ୟରେ ସରକାରୀ କର୍ମଚାରୀଙ୍କର ବିଭିନ୍ନ ସଙ୍ଗଠନ ରହିଛି। ସେମାନେ ବିଭିନ୍ନ ସମୟରେ ନିଜର ହକ୍‌ ପାଇଁ ଦୃଢ଼ ସ୍ବରରେ ଦାବି ଉପସ୍ଥାପନ କରିଥାନ୍ତି। ମାତ୍ର ନିଜର ଜଣେ ସହଯୋଗୀ ପ୍ରତି ଜଣେ ଝାଡ଼ଖଣ୍ଡୀ ଅପରାଧୀର ଅତ୍ୟାଚାରକୁ ଏହି ସଙ୍ଗଠନଗୁଡ଼ିକୁ ପକ୍ଷରୁ ଆଖିଦୃଶିଆ ପ୍ରତିବାଦ ହେଉନାହିଁ। ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଥିଲେ ସେମାନେ କେବଳ ନିର୍ବାଚନ ବୈତରଣୀ ପାରହେବା ପାଇଁ ଏହାକୁ ଅସ୍ତ୍ରଭାବେ ବ୍ୟବହାର କରୁଥିଲେ। ଛାତ୍ର କଂଗ୍ରେସ ଲଳିତ କୁମାରଙ୍କୁ ଦଣ୍ଡବିଧାନ ନ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ। ଓଡ଼ିଆ ଜାତିର ଅପମାନକୁ ମୁଖ୍ୟମନ୍ତ୍ରୀ ସହି ଯାଇପାରନ୍ତି, ହେଲେ ଛାତ୍ର କଂଗ୍ରେସ ସହ୍ୟ କରିବ ନାହିଁ ବୋଲି ନଓ୍ବାଜ କହିଛନ୍ତି।

Share