Categories: ଖେଳ

ଶାସ୍ତ୍ରୀଙ୍କୁ ଦଣ୍ଡିତ କରାଯିବ ନାହିଁ

ନୂଆଦିଲ୍ଲୀ,୧୩।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନରେ ନିଜ ବୁକ୍‌ ଲଞ୍ଚିଂ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ତାହା ପୁଣି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବିନା ଅନୁମତିରେ। ତେବେ ଏଥିଲାଗି ଶାସ୍ତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏହା ସ୍ପଷ୍ଟ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ମୁଖ୍ୟ ସୌରଭ ଗାଙ୍ଗୁଲି।

ଏକ ଖବରଦାତା ସମ୍ମିଳନୀରେ ଶାସ୍ତ୍ରୀଙ୍କ ଉପରେ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେବ କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଗାଙ୍ଗୁଲି କହିଛନ୍ତି, କେତେ ଦିନ ତୁମେ ହୋଟେଲ ରୁମ୍‌ରେ ବନ୍ଦ ହୋଇ ରହିପାରିବ। ଦିନ ସାରା ତୁମେ ବନ୍ଦ ଘରେ ରହିପାରିବ କି। ହୋଟେଲରୁ ଗ୍ରାଉଣ୍ଡକୁ ଓ ହୋଟେଲକୁ ଫେରିବା ମଧ୍ୟରେ ଜଣଙ୍କ ଜୀବନକୁ ଆବଦ୍ଧ କରାଯାଇପାରିବ ନାହିଁ। ମଣିଷଙ୍କ ପାଇଁ ଏହା ସମ୍ଭବ ନୁହେଁ।

ଉଲ୍ଲେଖଯୋଗ୍ୟ, ଚତୁର୍ଥ ଟେଷ୍ଟ ବେଳେ ଶାସ୍ତ୍ରୀଙ୍କ ସମେତ ସପୋର୍ଟ ଷ୍ଟାଫ ସଦସ୍ୟ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ୫ମ ଟେଷ୍ଟର ପୂର୍ବ ଦିନ ଦଳର ଦ୍ୱିତୀୟ ଫିଜିଓ ଯୋଗେଶ ପର୍ମାର ପଜିଟିଭ ଚିହ୍ନଟ ହେବା ପରେ ଟିମ୍‌ ଇଣ୍ଡିଆର ଟ୍ରେନିଂ ସେସନ ବାତିଲ କରି ଦିଆଯାଇଥିଲା। ପରେ କୋଭିଡ୍‌ ସଂକ୍ରମଣ ଭୟରେ ଖେଳାଳିମାନେ ଖେଳିବାକୁ ମନା କରି ଦେଇଥିଲେ।

Share