Categories: ଜାତୀୟ

ଖବରଦାତା, ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନି

ନୂଆଦିଲ୍ଲୀ,୧୮।୧୧: ତ୍ରିପୁରା ହିଂସା ବେଳେ ସଂଖ୍ୟାଲଘୁ ସମୁଦାୟକୁ ଟାର୍ଗେଟ କରାଯାଇଥିବା ନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଜଣେ ଖବରଦାତା ଓ ଦୁଇଜଣ ଓକିଲ ଅନୁସନ୍ଧାନ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଖବରଦାତା ଶ୍ୟାମ ମୀରା ସିଂ ଏବଂ ଆଇନଜୀବୀ ମୁକେଶ ଓ ଅନ୍‌ସାରୁଲ ହକ୍‌ଙ୍କ ବିରୋଧରେ ପୋଲିସ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଏଫ୍‌ଆଇଆର୍‌ କରିଛି। ଏହି ୩ ସଦସ୍ୟ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୩ ଜଣଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ବୁଧବାର ସୁପ୍ରିମକୋର୍ଟ ତ୍ରିପୁରା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ପିଟିଶନର ଶୁଣାଣି କରି ଅଗରତାଲା ପୋଲିସକୁ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନୋଟିସ କରିଛନ୍ତି। ପ୍ରକାଶ ଯେ, ଦୁର୍ଗାପୂଜା ବେଳେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଧର୍ମନିନ୍ଦା ଅଭିଯୋଗରେ ଆକ୍ରମଣ ହୋଇଥିଲା। ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ବ୍ୟାପକ ହିଂସା ଦେଖାଦେଇଥିଲା। ମୁସଲମାନମାନଙ୍କୁ ଟାର୍ଗେଟ କରି ଲୁଟ୍‌, ରାହାଜାନୀ ହୋଇଥିବା ସାମ୍ନାକୁ ଆସିଥିଲା। ଗତ ୧୧ରେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତିକୁ ଗ୍ରହଣ କରି ସିଭିଲ ସୋସାଇଟିର ଉପରୋକ୍ତ ୩ ସଦସ୍ୟଙ୍କ ବିରୋଧରେ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିବା ଉପରେ ଶୁଣାଣି କରିବାକୁ ରାଜି ହୋଇଥିଲେ।

Share